
ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର ଦ୍ଵାରପୁଡ଼ି ଗାଁରେ ଅଭାବନୀୟ ଘଟଣା। ପାର୍କିଂ ହୋଇଥିବା କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଲେ ୪ ଶିଶୁ । ମୃତକଙ୍କ ମଧ୍ୟରେ ଜଣେ ଶିଶୁପୁତ୍ର ଓ ୩ ଜଣ ଶିଶୁକନ୍ୟା ରହିଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ବିଜୟନଗରମ୍ ଜିଲ୍ଲାର ଦ୍ଵାରପୁଡ଼ି ଗାଁର ୪ ଜଣ ଶିଶୁ ବାହାରେ ଖେଳୁଥିବା ସମୟରେ ପାର୍କିଂ ହୋଇଥିବା ଏକ କାର ଭିତରକୁ ଚାଲିଯାଇଥିଲେ । ଡୋର୍ ବନ୍ଦ କରିବା ପରେ ଆଉ ଖୋଲିପାରି ନଥିଲେ । ପିଲାମାନଙ୍କୁ ନପାଇ ସେମାନଙ୍କ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ପରେ ଗାଡ଼ି ଭିତରୁ ସମସ୍ତଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ସମୟ ଧରି ଗାଡିରେ ବନ୍ଦ ରହିବା ଯୋଗୁଁ ୪ ଶିଶୁ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।