
- ଦୀର୍ଘ ସମୟ ଧରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରବିବାର ଗଞ୍ଜାମ ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ରୌଦ୍ରତାପ ଘନୀଭୂତ ହୋଇ ଅସହ୍ୟ ଗୁଳୁଗୁଳି କରି ପ୍ରତିକୂଳ ପରିବେଶ ଦେଖା ଦେଇଥିଲା । ଏଭଳି ପରିସ୍ଥିତିରେ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଥିଲା । ରବିବାର ସନ୍ଧ୍ୟା ବେଳେ ଝଡ଼ ବର୍ଷା ହୋଇଥିବା ବେଳେ ଟିକିଏ ଆଶ୍ୱସ୍ତି ମିଳିଥିଲା । ହେଲେ କାଳବୈଶାଖୀର ପ୍ରଭାବରେ ଛତ୍ରପୁର ସହରରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଖବର ମିଳିଛି । ଦୀର୍ଘ ଘଣ୍ଟା ଧରି ରାତ୍ରି କାଳ ଯାଏଁ ବିଦ୍ୟୁତ ସରବରାହରେ ବ୍ୟାଘାତ ଆଣିଦେଇଥିଲା । ଦୀର୍ଘ ସମୟ ଧରି ଅର୍ଥାତ୍ ମଧ୍ୟ ରାତ୍ରି ସମୟ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦଥିବା କାର୍ଯ୍ୟରେ ଶ୍ରମିକ ଓ ଇଞ୍ଜିନିୟରମାନେ କାର୍ଯ୍ୟରେ ନିୟୋଜିତ ଥିଲେ । ଦୀର୍ଘ ସମୟ ଧରି ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସୂଚନା ଯୋଗ୍ୟ ଯେ’ ସନ୍ଧ୍ୟା ସମୟରେ ଅଚାନକ ଘୂର୍ଣ୍ଣିି ଝଡ଼ ଆସି ପ୍ରାୟତଃ ୮୦ରୁ ୧୦୦ କିମି ବେଗରେ ପବନ ବୋହିଥିଲା ବୋଲି ଅନୁମାନ କରାଯାଏ । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଆଂଶିକ କ୍ଷୟକ୍ଷତି ଦେଖା ଦେଇଥିଲା ବେଳେ ଛତ୍ରପୁର ସହରର ରିକାପଲ୍ଲୀ ନିକଟସ୍ଥ ବିନୋଦ ବିହାର କ୍ଲବ୍ ପାର୍ଶ୍ଵରେ ଥିବା ଭିଜିଲାନ୍ସ ବିଭାଗ କ୍ୱାଟରସ ପରିସରର ଥିବା ଏକ ଯାନବାହନ ରଖିବା ସେଡ୍ ଗୃହର ଟିଣଛାତ ଉଜୁଡ଼ିଯାଇଥିଲା । ଯାହାକି ୫୦ ଫୁଟ୍ ଓସାର ୧୦୦ ଫୁଟ୍ ଲମ୍ବର ଇସ୍ପାତ୍ ଟିଣଚାଦର ଫ୍ରେମ୍ ଉଡ଼ି ଅନ୍ୟ ସ୍ଥାନରେ ପଡ଼ି ବିଦ୍ୟୁତ୍ ସରଞ୍ଜାମ ସହ ୫/୬ଟି ବାଇକ୍ କ୍ଷତିଗ୍ରସ୍ତ ହେଇଥିଲା । କିନ୍ତୁ କାହାରି ମୃତାହତ ଭଳି ସମସ୍ୟା ସୃଷ୍ଟି ହୋଇନଥିବା ଜଣାଯାଇଛି । ଛତ୍ରପୁର ସହରରେ ଏହି ସ୍ୱାଭାବିକ ଘଟଣା ସମସ୍ତଙ୍କୁ ଆଶ୍ୱର୍ଯ୍ୟ କରିଦେଇଥିଲା ।