ବଲାଙ୍ଗିରବାସୀଙ୍କ ଏକତା ଓ ଆନ୍ଦୋଳନର ହେଲା ବିଜୟ : ବଲାଙ୍ଗିର ବାଏପାସ ଟେଣ୍ଡର ପାଇଲା ମଞ୍ଜୁରୀ

  • ବଲାଙ୍ଗିରର ଅର୍ଥନୈତିକ ଓ ଟ୍ରାଫିକ ବ୍ୟବସ୍ଥାକୁ ମଜବୁତ କରିବ ବାଏପାସ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚେସ୍‌ ବୋର୍ଡର ସହର ବଲାଙ୍ଗିର ଦିନକୁ ଦିନ ଜନବୃଦ୍ଧି ଓ ଟ୍ରାଫିକ ସମସ୍ୟାରେ ରୁନ୍ଧି ହୋଇପଡିଥିଲା । ରାସ୍ତା ଜାମ୍‌, ଦୁର୍ଘଟଣା ଓ ପ୍ରାଣହାନୀ ନିତିଦିନର ଖବର ପାଲଟିଥିଲା ଅତିଷ୍ଟ ହୋଇ ବଲାଙ୍ଗିରର ଜନତା ତଥା ବିଭିନ୍ନ ସଂଗଠନ ବାଏପାସ ଦାବୀରେ କେତେ ଥର ଯେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ତାହାର ହିସାବ ନାହିଁ । କିନ୍ତୁ ବହୁପ୍ରତିକ୍ଷୀତ ବାଏପାସ ସାକାର ନହେବା ବଲାଙ୍ଗିରର ଦୁଃଖ ପାଲଟିଥିଲା । କିନ୍ତୁ ଏବେ ବଲାଙ୍ଗିରବାସୀଙ୍କ ପାଇଁ ଖୁସିର ଖବର ଆସିଛି । ଚୂଡାନ୍ତ ଷ୍ଟାଣ୍ଡିଂ କମିଟିରେ ବାଏପାସ ପାଇଁ ରାସ୍ତା ଖୋଲିବା ପରେ ଆଜି ୨୩୮.୭୮ କୋଟି ବ୍ୟୟ ଅଟକଳରେ ହେବାକୁ ଥିବା ବଲାଙ୍ଗିର ବାଏପାସ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସୂଚନା ଦେଇଛନ୍ତି । ଏହି ଅବସରରେ ସେ ଆହୁରି କହିଛନ୍ତି ଯେ, ବଲାଙ୍ଗିର ବାଏପାସ ଗମନା ଗମନ ଓ ମାଲ ପରିବହନରେ ସହାୟକ ହୋଇ ବଲାଙ୍ଗିରର ଅର୍ଥନୈତିକ ବିକାଶରେ ଯୋଡି ହେବା ସହ ସହରର ଟ୍ରାଫିକ ସମସ୍ୟାକୁ ମଧ୍ୟ ଦୂର କରିବ । ଏହା ବଲାଙ୍ଗିରବାସୀଙ୍କ ଏକ ସ୍ୱରରେ କରାଯାଇଥିବା ଦାବୀ ଓ ଆନ୍ଦୋଳନର ବିଜୟ । ଆମେ ବଲାଙ୍ଗିରବାସୀ ସମସ୍ତେ ଏକ ହୋଇ ଲଢିଲେ କିଛି ଅସମ୍ଭବ ନୁହେଁ । ଆଗାମୀ ଦିନରେ ଏହି ବିଜୟ ବଲାଙ୍ଗିରବାସୀଙ୍କୁ ବଲାଙ୍ଗିରର ସମୂହ ସ୍ୱାର୍ଥ ପାଇଁ ଏକ ଜୁଟ ହୋଇ ଲଢେଇ କରିବା ପାଇଁ ନିଶ୍ଚୟ ପ୍ରେରଣା ଦେବ । ସୂଚନାରୁ ପ୍ରକାଶ ଯେ, ଦୀର୍ଘ ବର୍ଷ ହେବ ପଡି ରହିଥିବା ବଲାଙ୍ଗିର ବାଏପାସ ଜନ ଆନ୍ଦୋଳନ କ୍ରମେ ଗତ ଫେବୃଆରୀ ୪ ତାରିଖରେ କେନ୍ଦ୍ରୀୟ ଗମନା ଗମନ ଓ ଜାତୀୟ ରାଜପଥ ବିଭାଗର ଚୂଡାନ୍ତ ଫାଇନାନ୍ସ କମିଟିରେ ୨୩୮.୭୮ କୋଟିର ବଲାଙ୍ଗିର ବାଏପାସ ପ୍ରକଳ୍ପ ମଞ୍ଜୁରି ପାଇଥିଲା । ଆଜି ପ୍ରକଳ୍ପ ପାଇଁ ଚୂଡାନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଅଢେଇ ବର୍ଷ ମଧ୍ୟରେ ପ୍ରକଳ୍ପ ସମାପ୍ତ ହେବା ସୂଚନା ମିଳିଛି ।

Leave A Reply

Your email address will not be published.