ନୂତନ ଘରୋଇ ବସଷ୍ଟାଣ୍ଡରୁ ଆସନ୍ତା ବାହୁଡ଼ାରୁ ବସ ଗଡିବ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ବାଦ ବିବାଦର ଅନ୍ତ ଘଟିଛି । ଘରୋଇ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡିଛି । ଆସନ୍ତା ଜୁଲାଇ ୨୦ ତାରିଖରୁ ନୂତନ ଭାବେ ନିର୍ମିତ ଘରୋଇ ବସଷ୍ଟାଣ୍ଡରୁ ବସ ଯାତାୟାତ ଆରମ୍ଭ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ଇପ୍ସ ଦେବବ୍ରତ ମିଶ୍ର ପ୍ରକାଶ କରିଥିଲେ । ଦୀର୍ଘ ଅଢେଇ ବର୍ଷ ହେଲା ଉଦଘାଟିତ ହୋଇ ଉକ୍ତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ବିବାଦ ହୋଇ ପଡି ରହିଥିଲା । ନୂତନ ଜିଲ୍ଲାପାଳ ତଥା ପୈ।ର ପ୍ରଶାସିକା ମୋନିଷା ବାନାର୍ଜୀ ଏହାର କାର୍ଯ୍ୟ କାରୀ ଉପରେ ଗୁରୁତ୍ୱ ଦେବା ସହ ଆଲୋଚନା କରିଥିଲେ । ପରେ ସଂଘ ପକ୍ଷରୁ ବସଷ୍ଟାଣ୍ଡର ସୁଧାର କାର୍ଯ୍ୟ ପାଇଁ ଦେଇଥିବା ପ୍ରସ୍ତାବ ଉପରେ ରାଜି ହୋଇ ମରାମତି କରିଥିଲେ । ନୂତନ ବସଷ୍ଟାଣ୍ଡ ଆରମ୍ଭ ହେବା ପରେ ଆସନ୍ତା ୨୦ରୁ ଏଠାରେ ବସ୍ ଚଳାଚଳ ଆରମ୍ଭ ହେବ ବୋଲି ଜଣାପଡିଛି । ଯାତ୍ରୀମାନେ ଅନେକ ସୁବିଧା ପାଇବେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘଦିନ ଧରି ପୌର ପରିଷଦ ଦ୍ୱରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା । କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନୂତନ ଜିଲ୍ଲାପାଳ ତଥା ପୌର ପ୍ରଶାସିକା ମୋନୀଷା ବାନାର୍ଜୀ ବନ୍ଦ ହୋଇ ପଡି ରହିଥିବା ଘରୋଇ ବସଷ୍ଟାଣ୍ଡକୁ ପରିଦର୍ଶନ କରିଥିଲେ । ସେଠାରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା କାମକୁ ଶିଘ୍ର କରିବାକୁ ପୌର ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବସଷ୍ଟାଣ୍ଡ ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି । ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଥିଲା । ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରି ଆସୁଛନ୍ତି ।

ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୩ଶହ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି । ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ୍ ମାଲିକ ସଂଘର ଉପଦେଷ୍ଟା ଇପ୍ସ ଦେବବ୍ରତ ମିଶ୍ର, ସଭାପତି ଭୀଷ୍ମ ଦେବ ଦୋରା, ସମ୍ପାଦକ ଶେଖ୍ ନଜିମୁଦ୍ଦିନ, ସୁଶାନ୍ତ ମିଶ୍ର, ସରୋଜ ମହାପାତ୍ର, ପୁରନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.