jayashree

ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ବସ୍‌କୁ ଧରିଲା ଏମ୍‌ଭିଆଇ, ବିନା ଫିଟ୍‌ନେସ ଓ ଇନ୍‌ସ୍ୟୁରେନ୍‌ନ୍ସରେ ବୁହା ହେଉଥିଲେ ଛାତ୍ରଛାତ୍ରୀ, ଜୋରିମାନା ପଡ଼ିଲା ୧ ଲକ୍ଷ ୬୩ ହଜାର ଟଙ୍କା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ନିଜ ଗାଡ଼ିର କାଗଜପତ୍ର, ଇନ୍‌ସ୍ୟୁରେନ୍ସ, ଫିଟ୍‌ନେସ୍‌, ପୋଲ୍ୟୁସନ୍ ସାର୍ଟିଫିକେଟ ସଦାବେଳେ ଠିକ୍‌ କରି ରଖିବାକୁ କୁହାଯାଉଛି । ବାରମ୍ବାର ତାଗିଦ କରିବା ସହ ଆଇନ ଉଲଂଘନ ନ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ଏହା ପରେ ମଧ୍ୟ ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲର ଛ’ଟି ସ୍କୁଲ ବସ୍‌ର ଫିଟ୍‌ନେସ୍‌, ଇନ୍‌ସ୍ୟୁରେନ୍ସ ନଥିବା ସହ କାଗଜପତ୍ର ଠିକ ନ ଥାଇ ପ୍ରତି ବସରେ ସିଟ୍‌ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀ ମାନଙ୍କୁ ଅସୁରକ୍ଷିତ ଅବସ୍ଥାରେ ନେଉଥିବା ବେଳେ ବଲାଙ୍ଗିର ଆରଟିିଓ ବିଭାଗ ତରଫରୁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ନିକଟରେ ଅଚାନକ ଚଢ଼ାଉ କରି ସମସ୍ତ ବସ୍‌କୁ ଅଟକାଇ କାଗଜପତ୍ର ଯାଞ୍ଚ କରିବାରୁ କିଛି ଚାଳକମାନେ କୌଣସି କାଗଜପତ୍ର ଦେଖାଇ ପାରିଲେ ନାହିଁ । ଛାତ୍ରଛାତ୍ରୀଙ୍କ ଜୀବନକୁ ବିପଦରେ ପକାଇ କିଭଳି ସରକାରୀ ନିୟମକୁ ନମାନି ବିଦ୍ୟାଳୟର ପ୍ରିନ୍ସିପାଲ ଏହିପରି ଅସୁରକ୍ଷିତ ବସ୍‌ ଯୋଗେ ଛୁଆ ମାନଙ୍କୁ ନେବା ଆଣିବା କରୁଥିଲେ ଏହା ଦେଖି ଏମ୍‌ଭିଆଇ ଅଧିକାରୀ ଚକିତ ହୋଇଯାଇଥିଲେ । ଏହି ଚଢାଉରେ ଟ୍ରାଫିକ ଇନ୍ସପେକ୍ଟର ଯଶୋବନ୍ତ ଚିନାରାଙ୍କ ଗୋଟିଏ ଟିମ୍‌ ସହ ହରେକୃଷ୍ଣ ନାୟକ, ସିଶିଲିଆ ହୋରୋ, ସତ୍ୟରଞ୍ଜନ ପ୍ରଧାନ ଏବଂ ଅନ୍ୟାନ୍ୟ ଷ୍ଟାଫ ସାମିଲ ଥିଲେ । ବର୍ତମାନ ଛ’ଟି ଗାଡ଼ିକୁ ଫାଇନ ପକାଇବା ସହ ସାତ ଦିନ ଭିତରେ ଗାଡ଼ିର କାଗଜପତ୍ର ଠିକ୍‌ ନ କଲେ ଗାଡି ସିଜ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିଦ୍ୟାଳୟର ଅଧ୍ୟକ୍ଷ କିଭଳି ଜାଣିଶୁଣି ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିଲେ, ଗାଡ଼ି ସବୁ ପୁରୁଣା ତଥା ବିନା ଫିଟନେସରେ ଚାଲୁଥିଲା, ଏସଂପର୍କରେ ପ୍ରିନ୍ସିପାଲଙ୍କୁ ପଚାରିବାରୁ ବିଦ୍ୟାଳୟର ଅବସ୍ଥା ଭଲ ନାହିଁ, ତିନୋଟି ନୂତନ ବସ୍‌ ବରଗଡ଼ରୁ ଆଣିବା ପାଇଁ ଅର୍ଡର ଦେଇଛୁ, ଆସିଲେ ପୁରୁଣା ବସକୁ ସ୍କ୍ରାପରେ ଦେବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ଏକପ୍ରକାର ଜାଣିଶୁଣି ସେ ଏହି ବସଗୁଡ଼ିକୁ ଚଲାଉଥିବା ସ୍ୱୀକାର କରିଛନ୍ତି ।

Leave A Reply

Your email address will not be published.