ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ସମ୍ବଲପୁରୀ ବସ୍ତ୍ରାଳୟ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁରୀ ବସ୍ତ୍ର ଓ ହସ୍ତତନ୍ତକୁ ବଜାୟ ରଖିବା ପାଇଁ ବୁଣାକାର ମାନଙ୍କ ଲାଗି ବିଭିନ୍ନ ସୁବିଧା ସୁଯୋଗ କରାଯିବା ନେଇ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଆଲୋଚନା କରିଛନ୍ତି । ପଦ୍ମପୁର ଠାରେ ଏକ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସେ ଦାବି କରିଛନ୍ତି । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ପଦ୍ମପୁର ସ୍ଥିତ ମହୁଲପାଲି ବୁଣାକାର କେନ୍ଦ୍ରକୁ ନିକଟସ୍ଥ ସୋନପୁର, ସମ୍ବଲପୁର, ବରଗଡ ପରି ଅନ୍ୟ ଜିଲ୍ଲାର ବୁଣାକାରମାନେ ବ୍ୟବସାୟ କରିବା ପାଇଁ ସପ୍ତାହକୁ ଥରେ ଆସୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେହି କେନ୍ଦ୍ର ବର୍ତ୍ତମାନ ବନ୍ଦ ହେବା ଅବସ୍ଥାରେ ରହିଛି । ତେଣୁ ବୁଣାକାର ଓ ବ୍ୟବସାୟୀଙ୍କ ସ୍ଥାୟୀ ବ୍ୟବସ୍ଥା କରାଯିବା ନେଇ ବରଗଡ ସାଂସଦ କେନ୍ଦ୍ର ହସ୍ତତନ୍ତ୍ର ଓ ବୟନ ଶିଳ୍ପମନ୍ତ୍ରୀ ଗିରିରାଜ ସିଂଙ୍କ ସହ ବିଶେଷ ଆଲୋଚନା କରିଛନ୍ତି ।
