jayashree

ନମିତା ସାହୁ ସିସିଆର୍‌ଟି ବୃତ୍ତି ପାଇ ଆଣିଲେ ଗୌରବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା, ଢୋଲବନ୍ଧର ଶିଶୁ କଳାକାର ନମିତା ସାହୁ ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ସାଂସ୍କୃତିକ ସ୍ରୋତ ଏବଂ ପ୍ରଶିକ୍ଷଣ କେନ୍ଦ୍ରର ସାଂସ୍କୃତିକ ପ୍ରତିଭା ଖୋଜା ବୃତ୍ତି ପାଇଁ ମନୋନୀତ ହୋଇଛନ୍ତି । ସଚେତନ ହେମା ଅନୁଷ୍ଠାନ ଓ ନାଟ୍ୟକାର ରାଜକୁମାର ସାହୁଙ୍କ ଅଧୀନରେ ଜାତୀୟ ବୃତ୍ତି ପାଇ ସମ୍ବଲପୁରୀ ଲୋକ ନୃତ୍ୟ ଉପରେ ତାଲିମ ନେବାକୁ ଭାରତ ସରକାର ମନୋନୀତ କରିଛନ୍ତି । ନମିତା ସାହୁ ଏବେ ଜମଲା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଓ ଢୋଲବନ୍ଧ ଗ୍ରାମର ଶୁକଦେବ ସାହୁ ଓ ଦେବକୀ ସାହୁଙ୍କ ସୁପୁତ୍ରୀ ଅଟନ୍ତି । ସେ ଆଗରୁ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ମାତା ସାବିତ୍ରୀ ବାଈ ଫୁଲେ ନାଟକରେ ଅଭିନୟ କରିଛନ୍ତି । ଲୋକକଳା ଅପଭ୍ରଂଶ ଓ ବିକୃତ ହୋଇଯାଇଥିବା ବେଳେ ମୌଳିକତାକୁ ବଜାୟ ରଖି ଶିକ୍ଷାକୁ ଉଭୟ ଲିଖିତ ଓ ପ୍ରୟୋଗାତ୍ମକ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରାଯିବ ବୋଲି କୁହନ୍ତି ଅନୁଷ୍ଠାନ ମୁଖ୍ୟ ନାଟ୍ୟକାର ରାଜକୁମାର ସାହୁ । ନିଜ ଗାଁରେ ଥିବା ଅନୁଷ୍ଠାନ ତରଫରୁ ବୃତ୍ତି ପାଇବାକୁ ସୁଯୋଗ ଲଭି ଥିବାରୁ ଗାଁରେ ତଥା ଘରେ ଆନନ୍ଦିତ ହେବା ସହ ଅଭିନନ୍ଦନର ସୁଅ ଛୁଟିଛି । ଗ୍ରାମାଞ୍ଚଳ ହେଲେ ମଧ୍ୟ ଉଚିତ୍‌ ଦିଗଦର୍ଶନ ଦେଇ କଳା ସଂସ୍କୃତିର ଉନ୍ନତି ପାଇଁ ବଦ୍ଧ ପରିକର ବୋଲି କୁହନ୍ତି ରାଜକୁମାର ସାହୁ ।

Leave A Reply

Your email address will not be published.