ମାନସିକ ପୂରଣ ପାଇଁ ନୃସିଂହନାଥ ଆସିଲେ ୧୧୨ ବର୍ଷର ବୃଦ୍ଧ ଦଶରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଦେଖିବାକୁ ମିଳେ ଅନେକ ଅଲୌକିକ ଘଟଣା । ପ୍ରତ୍ୟକ୍ଷ ଦେବତା ମାର୍ଜରକେଶରୀଙ୍କ କୃପାରୁ ଏଠାରେ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତେଣୁ ଦୂର ଦୂରାନ୍ତରରୁ ଆସିଥାନ୍ତି ଭକ୍ତଗଣ । ନୃସିଂହନାଥ ପୀଠର ଆଲୌକିକ ଶକ୍ତି ଆକର୍ଷିତ କରିଥାଏ ଅନେକ ଶ୍ରଦ୍ଧାଳୁଙ୍କୁ । ଏହି ପୀଠର ଆକର୍ଷଣରେ ଦୂରତା, ବୟସ ସବୁ କିଛି ହାର ମାନିଥାଏ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପବିତ୍ର ବୈଶାଖ ମେଳା ଅବସରରେ । ୧୧୨ ବର୍ଷର ଜଣେ ବୃଦ୍ଧ ମାନସିକ ପୂରଣ ପାଇଁ ସୁଦୂର ପରମାଣପୁରରୁ ଆସିଛନ୍ତି ଏହି ପୀଠକୁ । ତାଙ୍କ ନାତି, ନାତୁଣୀ ଓ ବୋହୂ ତାଙ୍କୁ ଏକ ଡ଼ାଲାରେ ବସାଇ ଆଣିବାର ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନାଁ ତାଙ୍କର ଦଶରଥ । ଷଣ୍ଢ ବଳଦ ବୁଲାଇ ଭିକ୍ଷା ବୃତ୍ତି କରିବାର ଗୁଗୁନାଦିଆ ପେସା ଆପଣାଇ ଥିଲେ ତାଙ୍କର ଯୁବାବସ୍ଥାରେ । ଷଣ୍ଢ ବଳଦର ନାକରେ ରସି ଲଗାଇବା ସହିତ ପଶୁଟିଆ ଜୀବନସାରା ଆକଟ କରି ପରିବାର ପୋଷଣ କରିଥିବାରୁ ଉକ୍ତ ଷଣ୍ଢର ମୃତ୍ୟୁ ପରେ ତାଙ୍କୁ ଗୋବଧ ଦୋଷ ଲାଗିବ ବୋଲି ଏକଦା ଜଣେ ସନ୍ୟାସୀ ତାଙ୍କୁ କହିଥିଲେ । ଦଶରଥଙ୍କ ମନରେ କଥାଟି ଗୁଞ୍ଜରିତ ହେଉଥିଲା । ହଠାତ୍‌ ଦିନେ ସ୍ୱପ୍ନରେ ଆକର୍ଷିତ ହୋଇଥିଲେ ନୃସିଂହନାଥ ମନ୍ଦିର ଆସି ପ୍ରାୟଶ୍ଚିତ କରିବା ପାଇଁ । କାରଣ ଏହି ପୀଠରେ ନିୟମିତ ଅସ୍ଥି ବିସର୍ଜନ, ପିତୃ ଶ୍ରାଦ୍ଧ, ମାତୃ ହରଣ, ସୁରା ପାନ, ଗୋରୁ ବଧ, ଗୋରୁ ହରଣ, ମୁଣ୍ଡନ ସମେତ ପ୍ରାୟଶ୍ଚିତ କରାଯାଇଥାଏ । ମାର୍ଜରକେଶରୀ ରୂପି ଭଗବାନ ରାମଚନ୍ଦ୍ରଙ୍କର ଅବତାର ଅଟନ୍ତି । ତେଣୁ ପୁଅ ରାମଚନ୍ଦ୍ର ବାପା ଦଶରଥଙ୍କୁ ବାରମ୍ବାର ଡାକିଲା ପରି ତାଙ୍କୁ ଅନୁଭବ ହେଉଥିଲା । ତେଣୁ ପରିଣତ ବୟସରେ ଏହି ପୀଠକୁ ଆସି ଗୋକୁଣ୍ଡରେ ସ୍ନାନ କରି ବୁଡ଼ ପକାଇ ପ୍ରଭୁଙ୍କର ଦର୍ଶନ ପାଇ ପରମ ସନ୍ତୁଷ୍ଟ ଲାଭ କରିଥିଲେ ଦଶରଥ । ପଦ୍ମପୁର ସବଡ଼ିଭିଜନ ସାମ୍ବାଦିକ ସଂଘର ସଭାପତି ବଡ ଶତପଥି ଖବର ପାଇ ବୃଦ୍ଧଙ୍କୁ ଦେଖିବା ପାଇଁ ସେହି ସ୍ଥାନକୁ ଯାଇ ବୃଦ୍ଧଙ୍କୁ ସ୍ୱାଗତ କରି, ମୁଣ୍ଡିଆ ମାରି ସାରିବା ପରେ ତାଙ୍କୁ ଅନେକ କଥା ଜାଣିବା ପାଇଁ ପଚାରି ଥିଲେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୀତା, ଭାଗବତ, ପୁରାଣ, ପୂଜା ପାଠ କରୁଥିବା କଥା କହିଥିଲେ ଦଶରଥ । ତାଙ୍କର ସହଧର୍ମିଣୀ ଗୁରୁବାରୀ ଦୋରାଙ୍କୁ ୧୦୦ ବର୍ଷ ପୁରା ହେଲାଣି ବୋଲି କହିବା ସହ ତାଙ୍କର ୪ ପୁଅ, ୩ ଝିଅ ଓ ଅନେକ ନାତି ନାତୁଣୀ ଅଛନ୍ତି ବୋଲି ସେ କହିଛନ୍ତି । ମାନସିକ ସନ୍ତୁଳନ ରକ୍ଷା କରି କମ୍‌ ଖାଦ୍ୟ ଗ୍ରହଣ କରି ଯୋଗୀ ସଦୃଶ ଜୀବନ ଯାପନ କରୁଥିବାର ଅଭିଜ୍ଞତା ବଖାଣି ଥିଲେ ଦଶରଥ । ତାଙ୍କୁ କ’ଣ ଦରକାର ଅଛିକି ବୋଲି ସାମ୍ବାଦିକ ଶ୍ରୀ ଶତପଥୀ ପଚାରିବାରୁ ‘ମୋର କିଛି ଦରକାର ନାହିଁ ଯାହା ଦରକାର ଥିଲା ଆଜି ତାହା ମହାପୁରୁ ପୂରଣ କଲେ, ଏଣିକି ମଲେ ମଧ୍ୟ୍ୟ ଚଳିବ ବୋଲି ସେ କହିଥିଲେ’ । ତାଙ୍କୁ କିଛି ଅର୍ଥ ସାହାଯ୍ୟ କରିଥିଲେ ଶ୍ରୀ ଶତପଥି । ବୃଦ୍ଧଙ୍କୁ ଦେଖିବା ପାଇଁ ବହୁ ଲୋକ ରୁଣ୍ଡ ହୋଇଥିବା ବେଳେ ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.