ବରାହ ଫାସରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବରାହ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ଫାସରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଘୁନଶର ପଞ୍ଚାୟତ ଅନ୍ତର୍ଗତ ପୁଟକେଲଚୁଆଁ ଗ୍ରାମର ଭୁବନେଶ୍ୱର କୁଅଁର (୫୫) ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ କହିବାନୁଯାୟୀ ଭୁବନେଶ୍ୱର କୁଅଁର ସକାଳୁ ଶୌଚ ପାଇଁ ଯାଇଥିଲେ, ହେଲେ ଫସଲ ଖାଇବାକୁ ହାତୀ ଓ ବରାହ ଆସୁଥିବା ଯୋଗୁଁ ବରାହ ଶିକାର କରିବା ପାଇଁ କେହି ଶିକାରୀ ବିଦ୍ୟୁତ ତାର ଫାସ ପକାଇ ଥିଲେ । ବିଛା ଯାଇଥିବା ବିଦ୍ୟୁତ ତାରରେ ଭୁବନେଶ୍ୱର କୁଅଁରଙ୍କ ଗୋଡ ଲାଗିଯାଇଥିଲା ଫଳରେ ଘଟଣା ସ୍ଥଳରେ ତାଙ୍କର ମୂତ୍ୟୁ ହୋଇଥିବା ଜଣାପଡିଛି । ଗ୍ରାମର ଦେବାର ନାଗ ନିଜ ଜମିକୁ ଯାଇଥିବା ବେଳେ ଭୁବନେଶ୍ୱରଙ୍କୁ ଜମିରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର କରିଥିଲେ । ପରିବାର ଲୋକ ଏନେଇ ଲାଠୋର ଥାନାକୁ ଖବର କରି ଘଟଣା ବିଷୟରେ ଜଣାଇବା ପରେ ଲାଠୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଶବ ପାଖରେ ଲାଗିଥିବା ତାରକୁ ମଧ୍ୟ ଜବତ କରିଥିଲେ । ପୋଲିସ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ଲାଠୋର ଥାନା ୟୁଡି କେସ ନଂ ୨/୨୦୨୫ରେ ଏକ ମାମଲା ଋଜୁ କରି ବିଦ୍ୟୁତ ଫାସ ପକାଇଥିବା ବ୍ୟକ୍ତିକୁ ଧରିବା ପାଇଁ ପୋଲିସ ଅନୁସନ୍ଧାନ ଜାରି ରଖିଛନ୍ତି । ଶିକାରୀ ମାନଙ୍କୁ ଧରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଜଦି ବନବିଭାଗକୁ ସହଯୋଗ କରିଥାନ୍ତେ ତା’ହେଲେ ବାରମ୍ବାର ଏମିତି ଘଟଣା ଘଟିନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ଏନେଇ ଘଟଣାର ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.