ବୋନ-କ୍ୟାନ୍ସରରେ ପୀଡିତ ନବ ନାହାକଙ୍କୁ ମିଳିଲା ପ୍ରାଥମିକ ସହାୟତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରର ୯ ନମ୍ବର ୱାର୍ଡ, ବରପଲ୍ଲୀ ବାସିନ୍ଦା, ଜଣେ ଗ୍ରାମ୍ୟସମାଜସେବୀ ନବ ନାହାକ(୨୮) ଦୀର୍ଘ ଦିନ ହେଲା ବୋନ କ୍ୟାନ୍ସରରେ ପୀଡିତ ଅଛନ୍ତି । ତାଙ୍କର ବାମଗୋଡ ଆଣ୍ଠୁର ଅପରେସନ ଲାଗି ପ୍ରାୟ ଆଠ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଅର୍ଥ ଯୋଗାଡ଼ ନ ହେବା ଯୋଗୁଁ ତାଙ୍କର ଚିକିତ୍ସାରେ ବାଧକ ସାଜିଛି । ପୂର୍ବରୁ ତାଙ୍କ ବାପାଙ୍କର ବିଲବାଡ଼ି ଓ ମାଆଙ୍କର ସୁନା ବିକି ଚିକିତ୍ସା ବାବଦରେ ପ୍ରାୟ ୫ ଲକ୍ଷ ଟଙ୍କାର ସମ୍ପତ୍ତି ସରିଯାଇଛି । ଏଣେ ତାଙ୍କର ପରିବାର ଚଳଣିରେ ମଧ୍ୟ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ଏ ଦିଗରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ତାଙ୍କ ସାକ୍ଷାତକାର ସହ ଖବର ପ୍ରସାରଣ ଓ ପ୍ରକାଶନ କରି ଉପରିସ୍ଥ ଅଧିକାରୀ, ଗଞ୍ଜାମ ଜିଲ୍ଲାପାଳଙ୍କ ଏବଂ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ହୃଦବୋଧ ହୋଇଛି । ଜିଲ୍ଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଗଞ୍ଜାମ ସହର ତହସିଲଦାରଙ୍କୁ ପଠାଇଥିଲେ । ତହସିଲଦାର ନବ ନାହାକର ଘରକୁ ଯାଇ ରେଡ଼କ୍ରସ ପାଣ୍ଠିରୁ ଦିଆଯାଇଥିବା ୨୦ ହଜାର ଟଙ୍କା ନବକୁ ଦେଇଥିଲେ । ସମସ୍ତ ସାହାଯ୍ୟ ପ୍ରଶାସନ ତରଫରୁ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏବେ ନବ ନାହାକ ଚିକିତ୍ସା ପାଇଁ ପ୍ରସ୍ତୁତ ଥିବା କୁହାଯାଏ । ତାଙ୍କର ଫୋନ ପେ ନମ୍ବର ୮୬୩୭୨୨୪୯୫୩ରେ ମଧ୍ୟ କିଛି ସହୃଦୟ ଲୋକେ କିଛି ମାତ୍ରାରେ ଆର୍ଥିକ ସହଯୋଗ କରି ଆସୁଛନ୍ତି ବୋଲି ନବ ସୂଚନା ଦେଇଛନ୍ତି । ସେହି ତକରେ ସେ ଗାଡି କରି ଚିକିତ୍ସା ପାଇଁ ବିଶାଖାପାଟ୍ଟନାମର ଏକ ଘରୋଇ ହସ୍ପିଟାଲକୁ ବାହାରିଛନ୍ତି, ବୋଲି ଜଣାଯାଇଛି ।

Leave A Reply

Your email address will not be published.