ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଗିରଫ ଦାବୀରେ ଆଜି ସଇଁନ୍ତଲା ବନ୍ଦ, ଗୋବିନ୍ଦଙ୍କୁ ଫାଶୀ ଦିଆଯାଉ- ବିଜେପି

ସଇଁନ୍ତଲା, (ଅଜିତ କୁମାର ସାହୁ) : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇ ଥିବା ବେଳେ ଏହାକୁ ସମର୍ଥନ ଜଣାଇଛି ସଇଁନ୍ତଲା ବିଜେପି । ତେବେ ବିଜେପି ବରିଷ୍ଠ ନେତା ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଜାତୀୟ ରାଜପଥ ୨୬ ସମେତ ବିଭିନ୍ନ ସ୍ଥାନରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ସଇଁନ୍ତଲା ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଲୋକେ ମଧ୍ୟ ସମର୍ଥନ କରିଛନ୍ତି । ମମିତାଙ୍କୁ ନ୍ୟାୟ ପାଇବାର ଆବଶ୍ୟକ ରହିଛି ବୋଲି ବିଭିନ୍ନ ସ୍ଥାନରେ ଦାବୀ କରାଯାଉଛି । ଏହାର ପ୍ରଭାବରେ ସହରରେ ଗାଡି ଚଳାଚଳ ଏବଂ ଦୋକାନ ବଜାର ସବୁ ବନ୍ଦ ରହିଛି । ଅନ୍ୟପଟେ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବୀ କରିବା ସହ ଗୋବିନ୍ଦ ସାହୁଙ୍କୁ ଫାଶୀ ଦିଆଯାଉ ବୋଲି ବିଜେପି ଦାବୀ କରିଛି । ମମିତା ମେହେର ହତ୍ୟାକାଣ୍ଡରେ ଗିରଫ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ଗୋବିନ୍ଦ ସାହୁ ସହିତ ଘନିଷ୍ଠ ଥିଲେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର । ତେଣୁ ମନ୍ତ୍ରୀଙ୍କୁ ଗିରଫ କରିବା ସହିତ ସିବିଆଇ ତଦନ୍ତ ଦାବୀ କରି ବନ୍ଦ ପାଳନ କରୁଛି ବିଜେପି ।ସୂଚନାଯୋଗ୍ୟ,  ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଅଧିକ ଖୋଳତାଡ଼ ଚଳାଇଛି ପୁଲିସ୍‌ । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନଭିନ୍‌ ଚଳାଇଛି ପୁଲିସ । ଜବତ ହୋଇଥିବା ଅଭିଯୁକ୍ତ ଗୋବିନ୍ଦଙ୍କ କାର୍ ଓ ପାରିପାର୍ଶ୍ୱିକ ସ୍ଥିତିର ବି ଅନୁଧ୍ୟାନ ଚାଲିଛି । ଅଧିକ ପ୍ରମାଣ ହାସଲ ପାଇଁ ବିଭିନ୍ନ ସ୍ଥାନରୁ ଜବତ ହୋଇଥିବା ସାମଗ୍ରୀକୁ ଫୋରେନ୍ସିକ୍ ଲ୍ୟାବ୍‌କୁ ଟେଷ୍ଟ ପାଇଁ ପଠାଇବାକୁ ଯୋଜନା ରହିଛି ।

Leave A Reply

Your email address will not be published.