ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନବୀନ ସରକାରଙ୍କ କୃଷକ ମାରଣ ନୀତି, ମଣ୍ଡିର ଅବ୍ୟବସ୍ଥା, ଧାନ କଟନୀ ଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି, ଗାଁ ଗାଁରେ ମଦଭାଟି, ମଦ କୋଠି ଖୋଲିବା ଭଳି ବିଭିନ୍ନ ସମସ୍ୟାର ପ୍ରତିବାଦରେ ଆଜି କଳାହାଣ୍ଡି ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ କରାଯାଇଛି । ବିଜେପି ପକ୍ଷରୁ ମଣ୍ଡି ଅବ୍ୟବସ୍ଥା, ବିଦ୍ୟୁତ ବିଲ ବୃଦ୍ଧି, ମଦ ଭାଟି, କୋଠି ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଠଦିନ ହେଲା ଧାରଣା ଦିଆଯାଇଛି, କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି କଳାହାଣ୍ଡି ବନ୍ଦ କରିଛି ବିଜେପି । ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ସୁନୀତି ମୁଣ୍ଡ, ବିଜୟଦେବ ସାହୁ ଏବଂ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନେ ଭବାନୀପାଟଣାରେ ବନ୍ଦ ପାଳନ କରିଥିଲେ । ସେଭଳି ଜୁନାଗଡ଼ରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ବନ୍ଦ ପାଳନ କରିଥିଲେ । କଲମପୁରର ବ୍ଲକରେ ବିଜୟ କୁମାର ପଣ୍ଡା, କମଲ ଲୋଚନ ବାଗ, ସୁଧୀର ରାଉତ, ସୁଧୀର ବାଗ ପ୍ରମୁଖ ନେତୃତ୍ୱ ନେଇଥିଲେ । ଏହି ବନ୍ଦ ପାଳନକୁ ସମର୍ଥନ କରିବାପାଇଁ ଦଳ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଜନ ସାଧାରନଙ୍କୁ ନିବେଦନ କରାଯାଇଥିଲା । ଦଳୀୟ କର୍ମୀମାନେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ଯାଇ ପିକେଟିଙ୍ଗ କରିଥିଲେ । ଫଳରେ ଜିଲ୍ଲାର ୧୩ଟି ବ୍ଲକରେ ଯାନ ବାହାନ ଚଳାଚଳ ପ୍ରଭାବିତ ହୋଇଥିଲା, ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ ବନ୍ଦ ରହିଥିଲା । ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟାନ୍ୟ ସେବା ବନ୍ଦ ରହିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

jittmm
Leave A Reply

Your email address will not be published.