centurian jitm

ରାଜ୍ୟ ସରକାରଙ୍କୁ ବିଜେପି କୃଷକ ମୋର୍ଚ୍ଚାର ତାଗିଦ : ମଣ୍ତିରେ ମଲର୍ସର ରାଜୁତି ବନ୍ଦ କର, ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା ଯୋଗାଇ ଦିଅ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଧାନ କିଣା ବିକାର ଅବ୍ୟବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ମଣ୍ତିମାନଙ୍କରେ ମିଲର୍ସର ରାଜୁତି ବନ୍ଦ କରିବା ସହ କେନ୍ଦ୍ର ସରକାର ଧାନ କ୍ବିଣ୍ଟାଲ ପ୍ରତି ଯୋଗାଇ ଦେଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ତାଗିଦ କରିଛି । ଗତକାଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ଖାଦ୍ୟ ଯୋଗାଣ ବିଭାଗ ସଚିବଙ୍କ ଅନୁପସ୍ଥିତିରେ ସ୍ବତନ୍ତ୍ର ସଚିବ ରାଜେନ୍ଦ୍ର ମିଶ୍ରଙ୍କୁ ସଚିବାଳୟଠାରେ ଏ ସମ୍ବନ୍ଧୟରେ ଦାବୀପତ୍ର ଦେବା ସହ ଚାଷୀମାନେ କିଭଳି ସୁରୁଖୁରୁରେ ମଣ୍ତିରେ ଧାନ ବିକ୍ରୀ କରି ପାରିବେ ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ମିଲର୍ସମାନେ ରାଜ୍ୟର ସମସ୍ତ ମଣ୍ତି ନିୟନ୍ତ୍ରଣ କରି ଧାନ କିଣା ବିକାରେ ମୁଖ୍ୟ ଭୂମିକା ନିଭାଉ ଥିବାରୁ ପ୍ରତି କ୍ବିଣ୍ଟାଲରେ ମିଲର୍ସମାନେ ବାଧ୍ୟ ବାଧକତାରେ ୧୦ ରୁ ୧୨ କେଜି ଧାନ କଟନି ଛଟନି କରୁଛନ୍ତି । ଏହା ଦ୍ବାରା ଚାଷୀମାନେ ଶୋଷଣର ଶୀକାର ହେଉଥିବା ବେଳେ ମିଲର୍ସମାନେ କୋଟି କୋଟି ଟଙ୍କା ମୁନାଫା ପାଉଛନ୍ତି, କୃଷକ ମୋର୍ଚ୍ଚା ସରକାରଙ୍କୁ ଏ ଦିଗରେ ତାଗିଦ କରିଛି । ଚାଷୀ ଯେତେ ଧାନ ଉତ୍ପାଦନ କରିଛି ରାଜ୍ୟ ସରକାର ସମସ୍ତ ଧାନ କିଣିବା ସହ ଗୋଟିଏ ମଧ୍ୟ ଟୋକନ ଲେପ୍ସ ହେବା କଥା ନୁହେଁ ବୋଲି କୃଷକ ମୋର୍ଚ୍ଚା ସରକାରଙ୍କୁ ପରାମର୍ଶ ଦେଇଛି । ଅଖା, ସୁତୁଲି, ପରିବହନ, ଶ୍ରମ ଖର୍ଚ୍ଚ କେନ୍ଦ୍ର ସରକାର ଚାଷୀଙ୍କୁ ଯୋଗାଇ ଦେଉଥିବା ବେଳେ ଚାଷୀଙ୍କ ନାଁରେ ଆସୁଥିବା ଟଙ୍କାକୁ ସମବାୟ ବିଭାଗ ଓ ମିଲର୍ସମାନେ ଭାଗବାଣ୍ଟି ନେଉଥିବା ଅଭିଯୋଗ ହେଉଛି । ଆର୍‌ଏମ୍‌ସି ଓ ପେକ୍ସମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଧାନ କିଣା ବିକାର କମିଶନ ଟଙ୍କା ଗଛିତ ଥିବା ବେଳେ ମଣ୍ତିର ଭିତ୍ତିଭୂମିର ବିକାଶରେ ଟଙ୍କାଟିଏ ଖର୍ଚ୍ଚ କରୁ ନଥିବାରୁ ମଣ୍ତିରେ ଚାଷୀଙ୍କ ଧାନ ବହୁ ପରିମାଣରେ ନଷ୍ଟ ହେଉଛି । ଏ ସମସ୍ତ ପ୍ରସଙ୍ଗରେ ଚାଷୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କରି ମିଲର୍ସଙ୍କ ସ୍ବାର୍ଥ ସୁରକ୍ଷା କଲେ ଆଗାମୀ ଦିନ ବିଜେପି କୃଷକ ମୋର୍ଚ୍ଚା ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିବ ବୋଲି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପୁରୋହିତ ଚେତାବନୀ ଦେଇଛନ୍ତି । ସ୍ୱତନ୍ତ୍ର ସଚିବଙ୍କ ସହ ସଚିବାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ କୃଷକ ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ, ରାଜ୍ୟ ଉପସଭାପତି ହୃଷିକେଶ ନାୟକ, ରାଧାକାନ୍ତ ମହନ୍ତ ଉପସ୍ଥିତ ଥିଲେ ।

Leave A Reply

Your email address will not be published.