ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥ ସନସାଇନ୍ ପବ୍ଲିକ ସ୍କୁଲର ମମିତା ମେହେରଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବିଳମ୍ବରେ ଗିରଫ କରାଯାଇଥିବା ବେଳେ ଏ କ୍ଷେତ୍ରରେ ସଂଶ୍ଳିଷ୍ଟ ତଥା ପ୍ରୋତ୍ସାହନା ଯୋଗାଇଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପଦବୀ ରଦ୍ଧ କରାଯିବା ଏବଂ ତାଙ୍କୁ ଗିରଫ କରିବା ଦାବୀ ନେଇ ଦୃଢ଼ ଦାବୀ ବିରୋଧୀ ଭାଜପା ଦଳ । ସମସ୍ତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆରମ୍ଭ ହୋଇଛି, ମାସ୍ ରାଲି, ଜିଲ୍ଲା ଏସ୍ପିଙ୍କ କାର୍ଯ୍ୟାଳୟକୁ ଘେରାଉ, ବିକ୍ଷୋଭ ପ୍ରଦର୍ଶନ । ଏହି ମୁଖ୍ୟ ଦାବୀ ପୂରଣ ନ ହେବା ଯାଏଁ, ମମିତା ମେହେରଙ୍କୁ ଉଚିତ ନ୍ୟାୟ ନ ଦେବା ଯାଏଁ ଜନ ଆନ୍ଦୋଳନ, ବିକ୍ଷୋଭ ଜାରୀ ରହିବ ବୋଲି ବିଜେପି ଦଳୀୟ ନେତାମାନେ ଛତ୍ରପୁରରେ ରାଜ୍ୟ ସରକାରଙ୍କୁ କଟୁକ୍ତିର ସହ କହିଛନ୍ତି । ଉକ୍ତ ପରିସ୍ଥିତିରେ ସିବିଆଇ ତଦନ୍ତ ହେବା ଜରୁରୀ ବୋଲି ବିଜେପି ନେତ୍ତୃ ବର୍ଗ କହିଛନ୍ତି । ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ଗୁରୁବାର ଭାଜପା ସଂଗଠନ ଘେରାଉ କରିଛି । ବିଜେପି କର୍ମୀ ଓ ନେତ୍ତୃବର୍ଗଙ୍କ ପକ୍ଷରୁ ବିଶାଳ ରାଲି ଗଞ୍ଜାମ ଜିଲ୍ଲାପାଳଙ୍କ ବାସଭବନଠାରୁ ବାହାରି ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଉତ୍ୟକ୍ତ ହୋଇ ପୋଲିସ ବାହିନୀ ସହ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଜୋରଯାର ଭାବେ ଦୀର୍ଘ ସମୟ ଧରି ହୋଇଥିବା ଦେଖାଯାଇଥିଲା । ବିଜେପି ସଂଗଠନ ଘୁମୁସର ଜିଲ୍ଲା ଓ ଗଞ୍ଜାମ ଜିଲ୍ଲା ମିଳିତ ଭାବେ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ପ୍ରଶାନ୍ତ କରଙ୍କ ନେତ୍ତୃତ୍ୱରେ ସଂଗଠିତ ଏହି ରାଲିରେ ଘୁମୁସର-ଖଣ୍ଡ ଜିଲ୍ଲା ସଭାପତି ମିଟୁ ମଲ୍ଲିକ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓଁମ ପ୍ରସାଦ ମିଶ୍ର, ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଛତ୍ରପୁର ମଣ୍ଡଳ ସଭାପତି, ସଞ୍ଜିତ କୁମାର ରାଉଳ ପ୍ରମୁଖ ଏହି ବିକ୍ଷୋଭରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏନେଇ ଜିଲ୍ଲା-ପୋଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବଳୟ ତଥା ପୋଲିସ ବ୍ୟବସ୍ଥିତ ମୁତୟନ ବନ୍ଦୋବସ୍ତ ହୋଇଥିଲା । ଏଥିରେ ୪ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୧୦ ଥାନାର ଅଧିକାରୀ, ୧୫ ଏସ୍ଆଇ/ଏଏସ୍ଆଇ ଏବଂ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ । ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଏହି ରାଲିରେ ପରିଚାଳନା ଦାୟିତ୍ୱରେ ଥିଲେ ।