oom

ଘୁଷୁରାମୁଣ୍ଡାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଅକାଳ ବିୟୋଗ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ବିଷାକ୍ତ ସାପ କାମୁଡି ଦେବାରୁ ଜଣେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀଙ୍କ ଅକାଳ ବିୟୋଗ ଘଟିଛି । ଗ୍ରାମର କିଶୋର ଚନ୍ଦ୍ର ଦାସଙ୍କ ୬ ଜଣ ଝିଅଙ୍କ ମଧ୍ୟରୁ ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ସବା ସାନ ଝିଅ ପ୍ରିୟଦର୍ଶିନୀ ଦାସ(୯) ଶୁକ୍ରବାର ରାତିରେ ଅନ୍ୟ ଭଉଣୀମାନଙ୍କ ସହ ଖାଇସାରି ତଳେ ଶୋଇଥିଲେ । ରାତି ୧୧ଟାରେ ସେ ଉଠିପଡ଼ି କାନ୍ଦିବା ସହ ନିଜକୁ ଅସୁସ୍ଥ ଲାଗୁଥିବାରୁ ପରିବାର ଲୋକଙ୍କୁ କହିଥିଲେ । ପରିବାର କୌଣସି ବିଷାକ୍ତ ସାପ କାମୁଡି ଥାଇପାରେ ଭାବି ରାତିରେ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ସାପକୁ ପାଇନଥିଲେ । ପରିବାର ଲୋକେ ଅସୁସ୍ଥ ଛାତ୍ରୀଙ୍କୁ ପ୍ରଥମେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଟିଟିଲାଗଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ ସାପ କାମୁଡ଼ା ଚିହ୍ନ ରହିବା ସହ ଦେହ କଳା ପଡିଯାଇଥିବାରୁ ସାପ କାମୁଡ଼ାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ପ୍ରକାଶ କରି ପୁଲିସକୁ ସୂଚନା ଦେଇଥିଲେ । ମୁରିବାହାଲ ଥାନା ପୁଲିସ ପକ୍ଷରୁ ଏଏସ୍‌ଆଇ ଜଗଦୀଶ ମହାନନ୍ଦ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥାନା ଅପମୃତ୍ୟୁ କେସ ନଂ ୧୧/୨୪ ରୁଜ୍ଜୁ ସହ ଅଧିକ ତଦନ୍ତ କରୁଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କୁ ପଚାରିବାରୁ ମୁଁ ଆର୍‌ଆଇଙ୍କୁ ପଠାଇ ତଦନ୍ତ କରୁଛି, ସମସ୍ତ ପ୍ରକାର ଆବଶ୍ୟକ କାଗଜପତ୍ର ଦାଖଲ ପରେ ଶୋକସନ୍ତପ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ପ୍ରକାଶ କରିଛନ୍ତି । ପରିବାରର ଅତି ଅଲିଅଳ ସବୁଠାରୁ ସାନ ଝିଅର ଆକସ୍ମିକ ବିୟୋଗରେ ସମଗ୍ର ଦାସ ପରିବାର ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ବେଳେ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.