ମାହାଙ୍ଗାର ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍‌ ବ୍ୟୋମ ବିହାରୀ ରଥଙ୍କ ବିୟୋଗ

ଟକ : କଟକ ଜିଲ୍ଲାର ସଂଗ୍ରାମୀ ଓ ସାରସ୍ୱତର ମାଟି ମାହାଙ୍ଗା ଅଞ୍ଚଳର ବରିଷ୍ଠ ସାହିତ୍ୟିକ ଓ ଶିକ୍ଷାବିତ୍‌ ବ୍ୟୋମ ବିହାରୀ ରଥଙ୍କ ବିୟୋଗ ହୋଇଯାଇଛି । ଚଳିତ ମାସ ୧ ତାରିଖରେ ଶ୍ରୀ ରଥଙ୍କ ୮୨ ବର୍ଷ ବୟସରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ଶିକ୍ଷକତା ପେଶାରୁ ସ୍ୱର୍ଗତ ଶ୍ରୀ ରଥ ସଂଖତ୍ରାସ ଉଚ୍ଚ ବିଦ୍ୟାଳୟ, କଟକରୁ ଅବସର ନେଇଥିଲେ । ନିଜ ଜୀବନକାଳ ମଧ୍ୟରେ ଶ୍ରୀ ରଥ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହିତ ଜଡ଼ିତ ରହିବା ସହ ସାରସ୍ୱତ ସାଧନାରେ ମଗ୍ନ ଥିଲେ । ତାଙ୍କ ରଚିତ ପୁସ୍ତକ ମଧ୍ୟରେ କବିତା ସଙ୍କଳନ – କଳ୍ପନା କୁସୁମ, ଯଯାତି, ରଶ୍ମିରଥି, ରାମାୟଣ, ଜନ୍ମାଷ୍ଟମୀ ବ୍ରତ, ବଳିଦ୍ୱାରେ ବାମନ, ବାଲ୍ମିକୀ ଆଶ୍ରମରେ ସୀତା, କର୍ଣ୍ଣବଧ ସମେତ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଓଡ଼ିଆ ଏବଂ ଇଂରାଜୀ ବ୍ୟାକରଣ ପୁସ୍ତକ ଆଦି ଅଜସ୍ର ପାଠକୀୟ ସ୍ୱୀକୃତି ପାଇଛି । ସ୍ୱର୍ଗତ ଶ୍ରୀ ରଥ ରାଜ୍ୟର ବିଭିନ୍ନ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଥିଲେ । ଏହି ସମ୍ବର୍ଦ୍ଧନା ମଧ୍ୟରେ ଜୟଦେବ ପୁରସ୍କାର, ଉତ୍କଳ ଗୀତିକବି ସମାଜ-ରାଉରକେଲା, ରଶ୍ମି ପ୍ରଭା ସମ୍ମାନ-ରାଉରକେଲା, କୁଞ୍ଜ କଳିକା-ଭଦ୍ରେଶ୍ୱର, କଟକ, ଦ୍ୱିତୀୟ ଭଞ୍ଜ ସାରସ୍ଵତ ସମ୍ମାନ-କଟକ, ପାର୍ବତୀ ଗୋବିନ୍ଦ ସମ୍ମାନ- ଭଦ୍ରକ, କଳିଙ୍ଗ ଭାରତୀ ସମ୍ମାନ-କଟକ ଓ ରାମେଶ୍ୱର ସାହିତ୍ୟ ସଂସଦ ଯାଜପୁର ଆଦି ଅନ୍ୟତମ । ତାଙ୍କର ବିୟୋଗରେ ରାଜ୍ୟର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବିଶେଷ କରି ରଶ୍ମିପ୍ରଭା-ରାଉରକେଲା, ଗୀତିକବି ସମାଜ-ରାଉରକେଲା, ଇସ୍ପାତ ସାହିତ୍ୟ ସଂସଦ-ରାଉରକେଲା, ନବପ୍ରଭାତ-କଟକ, ପାର୍ବତୀ ଗୋବିନ୍ଦ ସ୍ମୃତି ସଂସଦ-କଟକ, ଭଦ୍ରେଶ୍ୱର ସାହିତ୍ୟ ସଂସଦ, ପାଣ୍ଡିଆ-କଟକ, ଦ୍ୱିତୀୟ ଭଞ୍ଜ ସାହିତ୍ୟ ସଂସଦ-କଟକ ଆଦି ଅନୁଷ୍ଠାନର କର୍ମକର୍ତ୍ତାମାନେ ତାଙ୍କ ବିୟୋଗରେ ଶୋକବାର୍ତ୍ତା ଜଣାଇଛନ୍ତି । ସ୍ୱର୍ଗତ ଶ୍ରୀ ରଥଙ୍କ ପରିବାର ଓ ସମସ୍ତ ବନ୍ଧୁବର୍ଗଙ୍କ ପକ୍ଷରୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.