
• ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ରମାକାନ୍ତ ରଥଙ୍କ ଯୋଗଦାନ ଅକଳ୍ପନୀୟ – ଧର୍ମେନ୍ଦ୍ର ପ୍ରଧାନ
• କାଳଜୟୀ କବିତା ଗୁଡିକ ପାଇଁ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ
ଭୁବନେଶ୍ୱର, (ପିଆଇବି) : ଆଧୁନିକ ଓଡ଼ିଆ କବିତାର ଅନ୍ୟତମ ଯୁଗ-ପ୍ରବର୍ତ୍ତକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶୋକ ବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ଖ୍ୟାତନାମା କବି ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ଶ୍ରୀ ରମାକାନ୍ତ ରଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । କବିତା ମାଧ୍ୟମରେ ଓଡ଼ିଆ ସାହିତ୍ୟ ଜଗତକୁ ସୁସମୃଦ୍ଧ କରିବାରେ ତାଙ୍କର ଯୋଗଦାନ ଅକଳ୍ପନୀୟ । କେନ୍ଦ୍ର ସାହିତ୍ୟ ପୁରସ୍କାର ପ୍ରାପ୍ତ ତଥା ଅନେକ ସମ୍ମାନର ଅଧିକାରୀ ଶ୍ରୀ ରଥଙ୍କ ଲେଖାରେ ଆଧ୍ୟାତ୍ମିକ ଓ ଆଦିଭୌତିକ କଳ୍ପନାର ବ୍ୟବହାର ଦେଖାଯାଇଥାଏ । ବିଭିନ୍ନ ବିଭାଗର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ସେ ନିଜର ଦାୟିତ୍ୱ ସୂଚାରୁରୂପେ ସମ୍ପନ୍ନ କରୁଥିଲେ । ବିଶେଷ ଭାବରେ ତାଙ୍କର କାଳଜୟୀ କବିତା ଗୁଡିକ ପାଇଁ ସେ ଓଡ଼ିଆ ଜନମାନସରେ ଚିର ସ୍ମରଣୀୟ ହୋଇ ରହିବେ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।