ଅଧିକାର ଓ ସ୍ୱାଭିମାନ ମେଳା : ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଜନଙ୍କୁ ସହାୟତା‌ ଉପକରଣ ବିତରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଳକ ରେଙ୍ଗାଲି ଠାରେ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ଏଏଲ୍‌ଆଇଏମ୍‌ସିଓ) ସହାୟତାରେ ସାମାଜିକ ଅନୁଷ୍ଠାନ ଦିଶା ଏବଂ ରେଙ୍ଗାଲି ଗ୍ରାମବାସୀଙ୍କ ଦ୍ୱାରା ଅଧିକାର ଓ ସ୍ୱାଭିମାନ ମେଳା ଅନୁଷ୍ଠିତ ହୋଇଥିଲା । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଦିବ୍ୟାଙ୍ଗଜନ ସଶକ୍ତିକରଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଏବଂ ଦିଵ୍ୟାଙ୍ଗଜନଙ୍କୁ ବିଭିନ୍ନ ସହାୟତା ଉପକରଣ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମର ୭୫ ଜଣ ମହିଳା ଓ ୬୧ ଜଣ ପୁରୁଷ ଯୋଗଦାନ କରି ବିଭିନ୍ନ ଉପକରଣ ନେଇଥିଲେ । ଏ ଅବସରରେ ଆୟୋଜିତ ସଭାରେ ହୃଷୀକେଶ ସାହୁ ଅଧିକାର ଓ ସ୍ୱାଭିମାନ ମେଳାର ଲକ୍ଷ୍ୟ ଉଦ୍ଦେଶ୍ୟ ଏବଂ ଯୋଜନାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ଯନ୍ତ୍ରଣା ମୁକ୍ତ ଓଡ଼ିଶା ଗଠନ ଏବଂ ବରିଷ୍ଠ ନାଗରିକ ତଥା ଦିବ୍ୟାଙ୍ଗ ଜନଙ୍କ ଦୈନନ୍ଦିନ ଜୀବନକୁ ଅପେକ୍ଷାକୃତ ସହଜ, ସରସ କରିବା ପାଇଁ ରେଙ୍ଗାଲି ଗ୍ରାମବାସୀଙ୍କ ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ । ସୂଚାଇ ଦିଆଯାଏ ଯେ, କିଛି ଦିନ ପୂର୍ବରୁ ଏକ ବୃହତ୍ ଚିକିତ୍ସା ଶିବିର ଆୟୋଜିତ ହୋଇଥିଲା । ସୂଚନା, ଯୋଗାଯୋଗ ଇତ୍ୟାଦି କାରଣରୁ ସରକାରଙ୍କ ଜନ କଲ୍ୟାଣ ମୂଳକ ଯୋଜନା ଗୁଡିକ ସମସ୍ତ ଲୋକଙ୍କ ପାଖରେ ଅନେକ ସମୟରେ ପହଞ୍ଚି ନ ଥାଏ । ରେଙ୍ଗାଲି ଗ୍ରାମର ସ୍ୱେଚ୍ଛାସେବୀମାନେ ବିଭିନ୍ନ ସରକାରୀ ବିଭାଗ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଅବସର ସମୟକୁ ମାନବ ସେବାରେ ବିନିଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । କେବଳ ସରକାରଙ୍କ ଅନୁଦାନ ଉପରେ ନିର୍ଭର ନ କରି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ ସହ ନିରନ୍ତର ଗଛର ଯତ୍ନ ନେଉଛନ୍ତି । ସେହିପରି ଶିକ୍ଷାମାନ ବୃଦ୍ଧି ପାଇଁ ହାଇସ୍କୁଲରେ ଘରୋଇ ଶିକ୍ଷକ ବ୍ୟବସ୍ଥା ସହ ନୂଆଖାଇ ଭେଟଘାଟ ଭଳି କାର୍ଯ୍ୟକ୍ରମରେ ପ୍ରତିବର୍ଷ ଛାତ୍ରଛାତ୍ରୀ ଏବଂ କୃତି ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କୁ ସମ୍ମାନିତ ଭଳି ନିଆରା ପଦକ୍ଷେପ ନେଉଛନ୍ତି । ନିଜସ୍ୱ ପ୍ରଚାର ପ୍ରସାର ଠାରୁ ଦୂରରେ ରହି ଗଠନମୂଳକ କାର୍ଯ୍ୟକ୍ରମ ପାଇଁ ରେଙ୍ଗାଲି ଗ୍ରାମ ଅନ୍ୟ ଠାରୁ ଭିନ୍ନ ଏବଂ ଅନୁକରଣୀୟ ବୋଲି ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଏଲିମକୋ ତରଫରୁ ଡ. ଧରିତ୍ରୀ ଗଡତ୍ୟା, ସୁରେନ୍ଦ୍ର ଭୋଇ, ସୌମ୍ୟ ରଂଜନ ପ୍ରମୁଖ ଯୋଗଦାନ କରି ବିଭିନ୍ନ ଉପକରଣର ବ୍ୟବହାର ବିଷୟରେ ତାଲିମ ପ୍ରଦାନ କରିଥିଲେ ।

Leave A Reply

Your email address will not be published.