ବଲାଙ୍ଗିର ଜିଲ୍ଲାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବିପୁଳ ସ୍ଵାଗତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏଫ.ଆଇ.ଏଚ. ପୁରୁଷ ବିଶ୍ଵ କପ୍ ହକି ଟ୍ରଫିକୁ ଆଜି ବଲାଙ୍ଗିର ଜିଲ୍ଲାରେ ସାଂସ୍କୃତିକ କାର୍ଯକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ଵାଗତ କରାଯାଇଛି । ବଲାଙ୍ଗିର ନୂଆପଡା ସୀମାନ୍ତବର୍ତ୍ତୀ ଗ୍ରାମ ଭାଲୁମୁଣ୍ଡା ଠାରେ ପୁରୁଷ ହକି ବିଶ୍ଵ କପ ଟ୍ରଫିକୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତ ପରେ ଜିଲ୍ଲାରେ ଟ୍ରଫି ଟୁର୍ କାର୍ଯକ୍ରମ ଆରମ୍ଭ ହୋଇଥିଲା । ପରେ ଟ୍ରଫି ବଙ୍ଗୋମୁଣ୍ଡା, ଟିଟିଲାଗଡ, ସଇଁତଲା, ଦେଓଗାଁ ବାଟ ଦେଇ ବଲାଙ୍ଗିର ସହର ସ୍ଥିତ କୋଶଳ କଳା ମଣ୍ଡଳ ପଡିଆରେ ପହଞ୍ଚିଥିଲା । ଟ୍ରଫିକୁ ବଙ୍ଗୋମୁଣ୍ଡା, ଟିଟିଲାଗଡ, ସଇଁତଲା, ଦେଓଗାଁ ଠାରେ ସ୍ଥାନୀୟ ପ୍ରଶାସନ, ଜନ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ତଥା ଜନସାଧାରଣଙ୍କ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଟ୍ରଫିକୁ ଏକ ବାଇକ ରାଲି ଦ୍ଵାରା ଆରଟିଓ ଛକରୁ କୋଶଳ କଳା ମଣ୍ଡଳ ପଡିଆ ପର୍ଯ୍ୟନ୍ତ ଅଣାଯାଇଥିଲା । କୋଶଳ କଳା ମଣ୍ଡଳ ପଡିଆରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷ୍ୟା ଲିକା ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକରଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ପ୍ରମୁଖ ସ୍ଵାଗତ କରିଥିଲେ । ପରେ କୋଶଳ କଳା ମଣ୍ଡଳ ପଡିଆ ଠାରୁ ଘଣ୍ଟବାଦ୍ୟ, ଦୁଲଦୁଲି ଆଦି ବାଦ୍ୟଦଳ ସହ ବିରାଟ ପଟୁଆରରେ ଗାନ୍ଧୀ ଷ୍ଟାଡିୟମ ପର୍ଯ୍ୟନ୍ତ ନିଆଯାଇଥିଲା । ଗାନ୍ଧୀ ଷ୍ଟାଡିୟମ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହ। ବିଧାୟକ ଡଃ. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷ୍ୟା ଲିକା ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଳକର, ୧୮୯ ବାଟାଲିଆନ ସିଆରପିଏଫ୍‌ର କମାଣ୍ଡେଣ୍ଟ ପବନ କୁମାର ତିୱାରୀ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଡିଏଫଓ ନିତୀଶ କୁମାର, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଓ ଅନୁଷ୍ଠାନ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ପୂର୍ବତନ ଆନ୍ତର୍ଜାତିକ ଆଥଲେଟ ଆନନ୍ଦିନୀ ଦର୍ଜି, ପୂର୍ବତନ ଜାତୀୟ ଭଲିବଲ ଖେଳାଳି ଅନୁପ କୁମାର ସାହୁ, ଜୁନିଅର ଜାତୀୟ ଭଲିବଲ ଖେଳାଳି କୁମାରୀ ରଶ୍ମିତା ଦୀପ, ଖେଲୋ ଇଣ୍ଡିଆ ସିଲଭର ମେଡାଲିଷ୍ଟ ସୁହାନୀ ଗୁରହାଣ୍ଡି, ଜାତୀୟ ଫୁଟବଲ ଖେଳାଳି ସୁଧାଂଶୁ ସେଠ, ଜାତୀୟ ଫୁଟବଲ ଖେଳାଳି ଅଭିମନ୍ୟୁ ପାଣ୍ଡେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବଲାଙ୍ଗିର ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର କାର୍ଯକ୍ରମ ଉପଲକ୍ଷେ ଆଜି ସକାଳେ ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା । ମାରାଥନ ଗାନ୍ଧୀ ଷ୍ଟାଡିୟମରୁ ବାହାରି ଲିଟିଲ ଫ୍ଲାୱାର ସ୍କୁଲ ପର୍ଯ୍ୟନ୍ତ ଯାଇ ପୁଣି ଗାନ୍ଧୀ ଷ୍ଟାଡିୟମ କୁ ଫେରିଥିଲା । ତିନୋଟି ବର୍ଗରେ ଅନୁଷ୍ଠିତ ଏହି ମିନି ମାରାଥନରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ସମ୍ମାନିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାରେ ପୁରୁଷ ବିଶ୍ଵ କପ ହକି ଟ୍ରଫି ଟୁର୍ କାର୍ଯକ୍ରମ ଉପଲକ୍ଷେ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବରେ ହକି ଖେଳ ବିଷୟ ବସ୍ତୁ ଉପରେ ଆଧାରିତ ଏକ କୁଇଜ କାର୍ଯକ୍ରମର ଆୟୋଜନ କରାଯାଇଥିଲା । ପରେ ସେଠାରେ ବଚପନ୍ ଓ ଏକାଡେମିକ ହାଇଟ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଓ ପଞ୍ଚମ ଅନୁଷ୍ଠାନ ବଲାଙ୍ଗିର ର କଳାକାର ମାନଙ୍କ ଦ୍ଵାରା ମନୋଜ୍ଞ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୁଷ ବିଶ୍ଵ କପ୍ ହକି ଟ୍ରଫି ଟୁର୍ କାର୍ଯକ୍ରମ ଉପଲକ୍ଷେ ଆଜି ଆପରାହ୍ନରେ ଅମାମୁଣ୍ଡା ବନାମ କାଲସଇପାଳି ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଅମାମୁଣ୍ଡା ଦଳ ବିଜୟୀ ହୋଇ ବିଜେତା ଟ୍ରଫି ହାସଲ କରିଥିଲେ । ସେହିପରି ଟାଉନ ହାଇସ୍କୁଲ ବନାମ ପି.ଆର ହାଇସ୍କୁଲ ମଧ୍ୟରେ ଏକ ହକି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ଟାଉନ ହାଇସ୍କୁଲ ବିଜୟୀ ହୋଇ ବିଜେତା ଟ୍ରଫି ହାସଲ କରିଥିଲେ । ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମୁଖ୍ୟ ଉତ୍ସବକୁ ବଲାଙ୍ଗିର ତହସିଲଦାର ଡଃ. ପୁଷ୍ପାଞ୍ଜଳି ପଣ୍ଡା ଓ ଡେପୁଟି କଲେକ୍ଟର ସୋନିଆଶ୍ରୀ ମଲ୍ଲିକ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯକ୍ରମ ରେ ବଲାଙ୍ଗିର ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି, ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ତଥା ବଲାଙ୍ଗିରର ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.