
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ପବିତ୍ର ମହାବିଷୁବ ବା ପଣା ସଂକ୍ରାନ୍ତି । ବୈଜ୍ଞାନିକ ତଥ୍ୟ ଅନୁସାରେ ବିଷୁବ ସଂକ୍ରାନ୍ତିରେ ପ୍ରବଳ ଖରା ହୋଇଥାଏ ଫଳରେ ଶରୀରରୁ ଜଳୀୟ ଅଂଶ କମ୍ ହେବାର ସମ୍ଭାବନା ଥାଏ ତେଣୁ ଜଳୀୟ ଅଂଶର ପରିମାଣକୁ ସନ୍ତୁଳିତ କରିବା ପାଇଁ ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ । ପଣା ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ମଧ୍ୟ ପାଳନ କରାଯାଏ । ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି । ସେଥିପାଇଁ ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଥାଏ ।
ପଣା ସଂକ୍ରାନ୍ତି ଅବସରରେ ଆଜିଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଲାଗୁ ହେଉଥିବାରୁ ଏହାକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଉଛି । ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥିଲା । ତେଣୁ ନୂତନ ପଞ୍ଜିକା ଅନୁଯାୟୀ ଆଜିଠାରୁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ୟ୍ୟ ନେଇ ଧାର୍ଯ୍ୟ ହୋଇଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇଥାଏ ।