ବିଶାଳ ବାଇକ ରେଲିରେ ଦମ୍‌ ଦେଖେଇଲା କଂଗ୍ରେସ

  • ଅବହେଳିତ ସମାଜର ସ୍ୱର ହେବ କଂଗ୍ରେସ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଓ ରାଜ୍ୟରେ ଯଦି କେଉଁ ଦଳ ଲୋକଙ୍କ ହକ୍‌ର କଥା କହୁଛି ସେ ହେଉଛି କଂଗ୍ରେସ ଦଳ । ଅବହେଳିତଙ୍କୁ ସାମାଜିକ ଅର୍ଥନୈତିକ ସୁରକ୍ଷା ହେଉ କି ଯୁବକଙ୍କୁ ରୋଜଗାରର କଥା, ସେ ସବୁ ସମସ୍ୟା ସମାଧାନ ପାଇଁ କେବଳ ନିର୍ବାଚନ ସମୟରେ ନୁହେଁ, ବର୍ଷ ତମାମ ବିଧାନସଭା, ଲୋକସଭା ଓ ରାଜରାସ୍ତାରେ କଂଗ୍ରେସ ଦଳ ହିଁ ଅବହେଳିତଙ୍କ ସ୍ୱର ଭାବେ ଅନବରତ କାମ କରୁଛି, ତେଣୁ ଏଥର ନିଶ୍ଚିତ ଭାବେ ଲୋକେ ଆମ ଅଂଚଳରେ କଂଗ୍ରେସ ଦଳ ପ୍ରତି ପୁଣି ଆସ୍ତା ପ୍ରକଟ କରିବେ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ଚୁଡାପାଲିଠାରେ କଂଗ୍ରେସ ଦଳ ତରଫରୁ ଆୟୋଜିତ ବିଶାଳ ମୋଟର ସାଇକିଲ ରେଲିର ଶୁଭାରମ୍ଭ କରିବା ଅବସରରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କହିଛନ୍ତି । କଂଗ୍ରେସର ନିର୍ବାଚନ ପ୍ରଚାର ଧିରେ ଧିରେ ଜୋର୍‌ ଧରୁଥିବା ବେଳେ ଆଜି ସହର ବ୍ଲକ୍‌ ସ୍ଥିତ ଚୁଡାପାଲିଠାରୁ ୧୨୦୦ରୁ ଅଧିକ ସଂଖ୍ୟାର ଏକ ବିଶାଳ ବାଇକ ରେଲି ବାହାରିଥିଲା । ଏହି ରେଲି ହର୍ଡାଟାଲ, ଝାଙ୍କରପାଲି, ପଥରଚେପା, ଶାନ୍ତିପଡା, କଲେଜଛକ, କଚେରୀ ଛକ, ଭାଗିରଥି ଛକ, ବିକ୍ରମଛକ ଦେଇ ରେଲିଟି ଖୁଜେନପାଲି ପଂଚାୟତର ଖୁଜେନପାଲିଠାରେ ସମାପନ ହୋଇଥିଲା । କଂଗ୍ରେସ ଦଳର ଭିନ୍ନ ଭିନ୍ନ ନିର୍ବାଚନୀ ନାରା ଓ ସମରେନ୍ଦ୍ର – ନରସିଂହଙ୍କ ଜିନ୍ଦାବାଦ ନାରାରେ ସାରା ସହରର ନିର୍ବାଚନୀ ମାହୋଲରେ ବେଶ ଉଷ୍ମତା ଆଣିଦେଇଥିଲା । ରେଲିର ସମସ୍ତ ବାଇକ ଆରୋହୀଙ୍କୁ ଗ୍ରୀଷ୍ମ ତାପରୁ ରକ୍ଷା ପାଇଁ ବିକ୍ରମ ଛକଠାରେ ନଗର କଂଗ୍ରେସର ସ୍ୱେଚ୍ଛାସେବୀମାନେ ଦହି ସର୍ବତ ଓ ଥଣ୍ଡା ପିଇବା ପାଣି ପ୍ରଦାନ କରିଥିଲେ ।

Leave A Reply

Your email address will not be published.