
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସମ୍ବିଧାନ ପ୍ରଣେତା ବାବାସାହେବ ଡ଼ଃ. ବି. ଆର୍. ଆମ୍ବେଦକରଙ୍କ ପ୍ରତି ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦରେ ଆମ୍ ଆଦ୍ମୀ ପାର୍ଟି ଗଞ୍ଜାମ ଜିଲ୍ଲା ସଙ୍ଗଠନ ତରଫରୁ ତାଙ୍କର ଇସ୍ତଫା ଦାବୀ କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସଂସଦର ପବିତ୍ର ମନ୍ଦିର ପରିସରରେ ଭାରତର ସମ୍ବିଧାନ ପ୍ରଣେତା ଡଃ. ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଅମିତ ଶାହାଙ୍କର ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ କୋଟି କୋଟି ଭାରତୀୟଙ୍କ ଭାବାବେଗକୁ କୁଠାରାଘାତ କରିଛି । ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ସମୟରେ ସଂସଦୀୟ ମର୍ଯ୍ୟାଦା ଓ ଶୃଙ୍ଖଳା ଆବଦ୍ଧରେ ରହି ବିରୋଧୀ ଦଳର ଅନେକ ସାଂସଦ କେନ୍ଦ୍ର ସରକାରଙ୍କର ସମ୍ବିଧାନ ବିରୋଧୀ କାର୍ଯ୍ୟକଳାପର ଦୃଢ଼ ପ୍ରତିବାଦ କରିବା ଅବସରରେ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମ ବାରମ୍ବାର ଉଚ୍ଚାରଣ କରିବାର ଦେଖାଯାଇଥିଲା । ଆମ୍ ଆଦ୍ମୀ ପାର୍ଟି ତରଫରୁ ଶାହାଙ୍କୁ ଦେଶବାସୀଙ୍କ ସମ୍ମାନରେ ମଥା ନୁଆଇବା ସହ କ୍ଷମା ପ୍ରାର୍ଥନା ମାଗିବା ଉଚିତ୍, ନଚେତ୍ ଅବିଳମ୍ବେ ଇସ୍ତଫା ପ୍ରଦାନ କରିବାକୁ ଦାବୀ ହୋଇଛି । ଯଦି ଶାହା ତୁରନ୍ତ ନିଜ କୁକର୍ମର ପ୍ରାୟଶ୍ଚିତ ନ କରନ୍ତି ତେବେ ଆଗାମୀ ଦିନରେ ବାବା ସାହେବଙ୍କ ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ଆମ୍ ଆଦ୍ମୀ ପାର୍ଟି ତରଫରୁ ଧାରଣା ତଥା ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜନ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦିଆଯାଇଛି ।