ହରିଜନ ବସ୍ତିଙ୍କ ଦଖଲରେ ଥିବା ପର୍ବତ କିସମର ଜମିରେ ଅଷ୍ଟମ ବାଟାଲିୟନ ଆବାସିକ କୋଠା ନିର୍ମାଣ ପ୍ରସ୍ତାବକୁ ବିରୋଧ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବହୁବର୍ଷ ଧରି ହରିଜନ ବସ୍ତିଙ୍କ ଦଖଲରେ ଥିବା ପର୍ବତ କିସମର ଜମି ଗଞ୍ଜାମ ପୋଲିସ ମୁଖ୍ୟ ହେଡ଼କ୍ୱାଟର ଛତ୍ରପୁର ଅଧୀନସ୍ଥ ଅଷ୍ଟମ ବାଟାଲିୟନର ଆବାସିକ କୋଠା ନିର୍ମାଣ ନିମନ୍ତେ ହୋଇଥିବା ଯୋଜନାକୁ ଦୃଢ଼ ବିରୋଧ କରାଯାଇଛି । ଏ ନେଇ ଛତ୍ରପୁର ତହସିଲଦାରଙ୍କ କାର୍ଯ୍ୟାଳୟରେ ସୋମବାର ଅଭିଯୋଗ କରାଯାଇଛି ।

ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ଅଗସ୍ତିନୂଆଗାଁ ଠାରେ ପ୍ରତିଷ୍ଠିତ ଅଷ୍ଟମ ବାଟାଲିୟନ ନିକଟରେ ସିପାହୀ କର୍ମଚାରୀଙ୍କ ଆବାସିକ କୋଠା ନିର୍ମାଣ ପାଇଁ ହେଉଥିବା ଆବଶ୍ୟକ ଜମିରେ କୋଠା ନିର୍ମାଣ ପ୍ରସ୍ତାବକୁ ସ୍ଥାନୀୟ ହରିଜନ ବସ୍ତିର ଲୋକେ ବିରୋଧ କରିଛନ୍ତି । ଏଥିପାଇଁ ଉକ୍ତ ଜମିରୁ ଅଗସ୍ତିନୂଆଗାଁର ହରିଜନ ପରିବାରଙ୍କୁ ଉଚ୍ଛେଦକୁ ବିରୋଧ କରିବା ସାଂଗକୁ ଛତ୍ରପୁର ତହସିଲଦାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ତହସିଲଦାରଙ୍କୁ ସୋମବାର ଏକ ଅଭିଯୋଗ ସମ୍ପନ୍ନ ଦାବୀପତ୍ର ପ୍ରଦାନ କରାଯାଇଛି । ଛତ୍ରପୁର ତହସିଲ ଅଧୀନସ୍ଥ ଅଗସ୍ତିନୂଆଗାଁ ମୌଜା ଅଧୀନ ସରକାରୀ ଜମି ଖାତା ନମ୍ବର ୩୦୯ ଓ ପ୍ଲଟ ନଂ ୮୯ରେ ଆବାଦ ଅନାବାଦୀ ଖାତା ପର୍ବତ କିସମରେ ଏମାନଙ୍କ ପୂର୍ବପୁରୁଷଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଉକ୍ତ ଜମି ଉପରେ ନିର୍ଭର କରି ଚଳି ଆସୁଛନ୍ତି । ଏହି ଜମିରେ ଉକ୍ତ ଗାଁର ୨୫ ପରିବାର ଗାଈ ଚରାଇବା ଠାରୁ ଆରମ୍ଭ କରି ଗାଁ ପିଲାଙ୍କ ଲାଗି ଖେଳ ପଡ଼ିଆ ବ୍ୟବହାରରେ ଲାଗୁଛି । ଏପରିକି ସମସ୍ତ ପ୍ରକାର ସାମୁହିକ କାର୍ଯ୍ୟରେ ବ୍ୟବହାରରେ ଆସୁଅଛି । ବାସ୍ତବିକ କିଛି ବାସହୀନ ହରିଜନ ଶ୍ରେଣୀର ଲୋକେ ବାସଗୃହ କରିବା ସକାଶେ ମଧ୍ୟ ଜାଗା ଖଣ୍ଡେ ଲେଖାଏଁ ରଖିଛନ୍ତି ବୋଲି କୁହାଯାଇଛି । ଭବିଷ୍ୟତରେ ସରକାରୀ ସହାୟତା ମିଳିଲେ, ସେଠାରେ ଘର ଖଣ୍ଡେ କରିବେ ବୋଲି ଆଶା ରଖିଛନ୍ତି ଗ୍ରାମବାସୀ । କିନ୍ତୁ ଉକ୍ତ ସରକାରୀ ଜମିକୁ କିସମ ପରିବର୍ତ୍ତନ କରି ଛତ୍ରପୁର ଅଷ୍ଟମ ବାଟାଲିୟନର କର୍ମଚାରୀଙ୍କ ଆବାସିକ କୋଠା ନିର୍ମାଣ ପାଇଁ ଆବଶ୍ୟକ ଜମି ପ୍ରଦାନ ଲାଗି ପ୍ରସ୍ତାବ ରହିଛି । ଉକ୍ତ ଜମିରୁ ଗରିବ ହରିଜନଙ୍କୁ ଉଚ୍ଛେଦ କରିବା ଏକ ଅଗଣତାନ୍ତ୍ରୀକ ପଦ୍ଧତି ବୋଲି ଅଭିଯୋଗ ହୋଇଛି । ଏହି ପ୍ରସ୍ତାବକୁ ପରିବର୍ତ୍ତନ କରିବାକୁ ହରିଜନ ବସ୍ତିଙ୍କ ପକ୍ଷରୁ ନିବେଦନ କରାଯାଇଛି । ସୂଚନାଯୋଗ୍ୟ ଯେ, ଛତ୍ରପୁର ଅଷ୍ଟମ ବାଟାଲିୟନର କର୍ମଚାରୀଙ୍କ ଆବାସିକ କୋଠା ନିର୍ମାଣ ପାଇଁ ଉକ୍ତ ଜମି ପ୍ରଦାନ ପାଇଁ କ’ଣ ଆପତ୍ତି ଅଭିଯୋଗ ଅଛି ସେ ସମ୍ପର୍କରେ ଛତ୍ରପୁର ତହସିଲଦାରଙ୍କ ପକ୍ଷରୁ ସର୍ବସାଧାରଣ ନୋଟିସ ଜାରି ହୋଇଥିଲା । ସେହି କ୍ରମେରେ ହରିଜନବସ୍ତିଙ୍କ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ପ୍ରଶାସନକୁ ଭେଟିଛନ୍ତି ।

Leave A Reply

Your email address will not be published.