ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ସହୀଦ ମାଧୋ ସିଂ ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ସଭା ପୂର୍ବରୁ ପାଇକମାଲ ବଜାର ପ୍ରାଙ୍ଗଣରୁ ଏକ ବିରାଟ ଶୋଭାଯାତ୍ରାରେ ସମସ୍ତେ ପାଇକମାଲ ଧର୍ମଶାଳା ପର୍ଯ୍ୟନ୍ତ ଆସିଥିଲେ । ଏହି ସମାବେଶରେ ପଦ୍ମପୁର ଉପଖଣ୍ଡ ସ୍ତରୀୟ କର୍ମକର୍ତ୍ତା ଏବଂ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ମିଳିତ ଆନୁକୂଲ୍ୟରେ ଜାତି, ଦଳ, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ନିମନ୍ତେ ଦାବି କରାଯାଇଥିଲା । ୪୧ଟି ବହୁ ରାଷ୍ଟ୍ରୀୟ କମ୍ପାନୀ ବଲାଙ୍ଗିର ଖଣି ବିଭାଗରେ କରାଯାଇଥିବା ଆବେଦନ ପତ୍ରକୁ ବାତିଲ କରାଯାଉ । ଦରକାର ଠାରୁ ବହୁ ଅଧିକ ଜମି କ୍ରୟ ବିକ୍ରୟ ଚାଲିଛି । ସବୁ ଜମିରେ କ୍ରୟ ବିକ୍ରୟ ବାତିଲ କରି ଜମିପଟ୍ଟାକୁ ରଦ୍ଦ କରାଯାଉ । ଏହି ସମାବେଶରେ ଖପ୍ରାଖୋଲ ତହସିଲ କାର୍ଯ୍ୟାଳୟରେ ଚାଲିଥିବା ଗଣଧାରଣାକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିବାକୁ ସଭାରେ ସମସ୍ୱର ଘୋଷଣା କରାଯାଉ ବୋଲି ଉପସ୍ଥିତ ସମସ୍ତ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ରରେ ରାଜକୁମାର ସେଠ ସଭାପତିତ୍ୱ କରିଥିବା ବେଳେ ହୃଦାନନ୍ଦ ବାରିକ ପ୍ରଥମେ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଲିଙ୍ଗରାଜ ଆଜାଦ, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ଖପ୍ରାଖୋଲର, ସଂଗ୍ରାମୀ ସୁଶୀଲ ନାୟକ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନମନ୍ତ୍ରୀ ରିତା ସାହୁ, ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜୁ ଘିବଲା, କ୍ଷେତ୍ରୀ ଲୁହାର, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଲିଙ୍ଗରାଜ ଆଜାଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସହିଦ ମାଧୋ ସିଂଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ୱଳନ କରି ନିଜସ୍ୱ ମତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଞ୍ଜାଲ ସମାଜର ନୂଆପଡ଼ା ୟୁଥ୍ କ୍ଲବ ଜିଲ୍ଲା ପରିଷଦ ମାଧୋ ସିଂ ଉପରେ ଆଧାରିତ ନୃତ୍ୟ ନାଟିକା ଖୁବ୍ ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗିରିଶ ଦଣ୍ତସେନା, ମୋହନ ଜଗତ ଓ ଅନ୍ୟ ସହଯୋଗୀ ମାନେ ସହଯୋଗ କରିଥିବା ବେଳେ ଗୁପ୍ତରାମ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।