ଲୋକନୃତ୍ୟ ଢାପ୍‌ ଉପରେ ଗବେଷଣା ପାଇଁ ବିପିନ ବାରିକ ମନୋନିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ପ୍ରମୁଖ ଲୋକନୃତ୍ୟ ଢାପ ଉପରେ ଗବେଷଣା କରିବା ପାଇଁ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଥାଲବନ୍ଧ ଗ୍ରାମର ବିପିନ ବିହାରୀ ବାରିକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ତଥା ସଂସ୍କୃତି ଗବେଷଣା ଓ ତାଲିମ କେନ୍ଦ୍ର ନୂଆଦିଲ୍ଲୀ ତରଫରୁ ମନୋନୀତ ହୋଇଛନ୍ତି । ଛୋଟ ଦିନରୁ ତାଙ୍କର କଳା ପ୍ରତି ଆକୃଷ୍ଟ ରହି କଳାକୁ ବଞ୍ଚାଇବାକୁ ସେ ‘ବର୍ଣ୍ଣାଳୀ’ ଅନୁଷ୍ଠାନ ନାମରେ ଏକ ଅନୁଷ୍ଠାନ ନିଜ ଗ୍ରାମରେ ପ୍ରତିଷ୍ଠା କରିଛନ୍ତି । ଶ୍ରୀ ବାରିକ ଜଣେ ସୁସଂଗଠକ, କଳାକାର ଓ ନିର୍ଦ୍ଦେଶକ । ସେ ଢୋଲ, ନିସାନ, ତାସା, ଝାଞ୍ଜ, ମାଂଦଳ, ମୃଦଙ୍ଗ, ତବଲା ଆଦି ବାଦ୍ୟ ଭଲ ଭାବରେ ବଜାଇ ପାରନ୍ତି । ଅଭିନୟ କଳାକାର ଭାବରେ ବିଭିନ୍ନ ଟେଲିଫିଲ୍ମ କୋଶଲ ମାଟିର ଛୁଆ, ଘିଚାଟନା, ଭାବର ତିହାର, ଦାଦନ ଏବଂ ମଂଚନାଟକ ଅରଣ୍ୟ ଫସଲରେ ଅଭିନୟ କରି ଅନ୍ଧାର ରାଇଜେ ଉଦିଛେ ଜହ୍ନ ଓ ଇଟାଭାଟି ଇତ୍ୟାଦିରେ ନିର୍ଦ୍ଦେଶନା ଦେଇ ସାରିଛନ୍ତି । ଆଜିକାର ବ୍ୟସ୍ତ ବହୁଳ ଜୀବନରେ ନିଜର ପାରିବାରିକ ବୋଝ ତଥା କର୍ମକ୍ଷେତ୍ରର କାର୍ଯ୍ୟଭାରକୁ ଅତି ନିଖୁଣ ଭାବରେ ରୂପାୟନ କରି ନିଜର ଭାଷା, କଳା, ସଂସ୍କୃତିର ସଂରକ୍ଷଣ କରିବାକୁ ଆପ୍ରାଣ ଉଦ୍ୟମ କରି ଆସୁଥିବା ଜଣେ ନିଆରା ମଣିଷ ହେଉଛନ୍ତି ବିପିନ ବିହାରୀ ବାରିକ । ଆଗାମୀ ଦିନରେ ଲୋପ ପାଇଁ ଯାଉଥିବା ଲୋକ କଳା, ବାଦ୍ୟ, ନୃତ୍ୟ, ଗୀତର ପୁନଃରୁଦ୍ଧାର ତଥା ଲୋକ ସଂସ୍କୃତି କେମିତି ଭାବରେ ବଜାୟ ରହିପାରିବ, ସେଥି ପାଇଁ ସେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.