ବାଦିଘୋର ବ୍ରିଜ୍‌ ଉପରେ ବିପଦ ସାଜିଛି କାଦୁଅ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : କିଛି ମାସ ଆଗରୁ ବଲାଙ୍ଗିରରୁ ଚନ୍ଦନଭାଟି ରାସ୍ତାରେ ପଡୁଥିବା ବାଦିଘୋର ବ୍ରିଜ୍‌କୁ ବଡ ନୂତନ ବ୍ରିଜ୍‌ରେ ପରିଣତ କରିବା ପାଇଁ ବଲାଙ୍ଗିର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନରସିଂହ ମିଶ୍ର ଶୁଭ ଦେଇଥିଲେ । ଅଞ୍ଚଳରେ ବନ୍ୟା ହେଲେ ଯିବାଆସିବା କରିବା ପାଇଁ ଲୋକଙ୍କୁ କୌଣସି ବାଧାବିଘ୍ନର ସାମ୍ନା କରିବାକୁ ପଡିବ ନାହିଁ ଏ ଥିଲା ତାଙ୍କରି ଲକ୍ଷ୍ୟ । କାମ ମଧ୍ୟ ଠିକ୍‌ଠାକ୍ ଚାଲିଥିଲା କିନ୍ତୁ ଗତ କିଛି ଦିନ ଆଗରୁ ବ୍ରିଜ୍‌ ନିର୍ମାଣ ମଧ୍ୟ ସରିଯାଇଛି ସତ । ହେଲେ ବ୍ରିଜ୍‌ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ । ବ୍ରିଜ୍‌ର ଦୁଇ ପାର୍ଶ୍ଵରେ ପିଚୁ ରାସ୍ତା ନିର୍ମାଣ କରିବା ପାଇଁ ମାଟି ପୋତାଯାଇଛି । ହେଲେ କିଛି ଦିନ ହେଲା ଅଞ୍ଚଳରେ ଲଗାଣ ବର୍ଷା ଲାଗିରହି ଥିବାରୁ ସେହି ରାସ୍ତା କାଦୁଅରେ ଭରପୁର ହୋଇଯାଇଛି । ରାସ୍ତା ଦେଇ ହଜାର ହଜାର ଲୋକେ ଯାତାୟତ କରିଥାନ୍ତି । ଲୋକେ କିଛି ଦୂରତା କାଦୁଅ ପଚ୍‌ପଚ୍‌ ରାସ୍ତାରେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ବହୁ ଲୋକେ କାଦୁଅରେ ଖସି ପଡିଯିବାର ଅଭିଯୋଗ ମଧ୍ୟ ଆଣିଛନ୍ତି । ଏହା ବ୍ୟତୀତ ବ୍ରିଜ୍‌ ତଳେ ଯାଇଥିବା ଅସ୍ଥାୟୀ ରାସ୍ତାରେ ଲୋକେ ଯିବା ଆସିବା କରୁଥିବା ବେଳେ ପାଣି ଆଣ୍ଠୁଏ ହେବାରୁ ସେହି ରାସ୍ତାରେ ଯିବା ଆସିବା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ସେଥିପାଇଁ ସେହି ଅସ୍ଥାୟୀ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଏହି ଉପର ରାସ୍ତା ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଯାତାୟାତ କରୁଥିବା ଲୋକେ ଏବେ ଚିନ୍ତାରେ । କେହି କେହି ତ ଚନ୍ଦନଭାଟିରୁ କଅଗାଁ ଗ୍ରାମ ଦେଇ କଲେଜ ପାଖରେ ବାହାରୁଥିବା ରାସ୍ତା ଦେଇ ଯାତାୟତ କରୁଥିବା ଦେଖାଯାଉଛି । ଏହି ରାସ୍ତାର ତୁରନ୍ତ ମରାମତି ନ କଲେ ଆଗକୁ ବିପଦ ବଢ଼ିପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ଏହି ରାସ୍ତା ସମସ୍ୟାର ସମାଧାନ ତୁରନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛିନ୍ତି ।

Leave A Reply

Your email address will not be published.