ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମର ଅନ୍ୟତମ ବରପୁତ୍ର, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆସ୍କା ରୋଡ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌରପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଗଞ୍ଜାମ ବିକାଶ ମଞ୍ଚ ତରଫରୁ ପାଳନ କରାଯାଇଛି । ମଞ୍ଚର ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏକ ଉତ୍ସବରେ ଓଡିଶା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ଆଚାର୍ଯ୍ୟଙ୍କ ସଂସ୍କାର ଧର୍ମୀ କାର୍ଯ୍ୟ ଧାରା, ସରଳତା ଓ ନିରାଡମ୍ବର ଜୀବନଚର୍ଯ୍ୟା ଉପରେ ଆଲୋଚନା କରି ଛାତ୍ରଛାତ୍ରୀମାନେ ସେଇ ପଦାଙ୍କ ଅନୁସରଣ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଶିକ୍ଷକ ତଥା ଓଷ୍ଟାର ପୂର୍ବତନ ସଂପାଦକ କାମରାଜୁ ମହାରଣା ଶିକ୍ଷକ ସଂଗଠନ ଓଷ୍ଟା ଓ ମହାସଂଘ ଗଠନରେ ସ୍ୱର୍ଗତ ଆଚାର୍ଯ୍ୟଙ୍କ ଅବଦାନ ଓ ସଂଶ୍ଳିଷ୍ଟତା ମନେପକାଇ ସମସ୍ତଙ୍କୁ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ମୁଖ୍ୟମନ୍ତ୍ରୀ ପଦବୀ ଅଳଙ୍କୃତ କରି ମଧ୍ୟ ସ୍ୱର୍ଗତ ଆଚାର୍ଯ୍ୟଙ୍କ ସରଳ ତଥା ନିରାଡମ୍ବର ଜୀବନ ସହ ଦୁର୍ନୀତିଶୂନ୍ୟ କାର୍ଯ୍ୟ ଓ ସମାଜ ସେବାର କିଛି ଉଦାହରଣ ଦେଇଥିଲେ । ରାଜ୍ୟ ସରକାର ତାଙ୍କର ସ୍ମୃତି ରକ୍ଷାପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଯୋଗୁଁ ଉଦ୍‌ବେଗ ପ୍ରକାଶ କରିଥିଲେ । ବ୍ରହ୍ମପୁର ସହର ଗେଟ୍‌ ବଜାର ଛକଠାରୁ ଫାଷ୍ଟ ଗେଟ ରାସ୍ତାକୁ ବିନାୟକ ଆଚାର୍ଯ୍ୟ ମାର୍ଗ କରିବା ପାଇଁ ଏବଂ ଭୁବନେଶ୍ୱର ଠାରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିଟିଏ ସ୍ଥାପନ ପାଇଁ ସଭାରେ ମତ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ଭଗବାନ ନାୟକ, ସମାଜସେବୀ ଟିଚାଗୋପୀ, ସିମାଞ୍ଚଳ ସାହୁ ମଞ୍ଚାସୀନ ଥିଲେ । ସ୍ୱର୍ଗତ ଆଚାର୍ଯ୍ୟଙ୍କ ଘନିଷ୍ଠ ସହଯୋଗୀ ସିମାଞ୍ଚଳ ସାହୁ, ଅଳକ ମିଶ୍ର, ପ୍ରଦୀପ ସାହୁ, ମାନସ ରଞ୍ଜନ ତ୍ରିପାଠୀ, ସଂଜୀବ ପଟ୍ଟନାୟକ, ଆଦିତ୍ୟ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଶେଷରେ ମଞ୍ଚ ଉପଦେଷ୍ଟା ଆଡଭୋକେଟ ଡଃ. ଶିବ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.