ମହାକୁମ୍ଭ ପାଇଁ ପ୍ରୟାଗରାଜ ବିମାନବନ୍ଦର ମୁଖ୍ୟ ପ୍ରବେଶ ପଥରେ ପରିଣତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ନେତୃତ୍ୱରେ ପ୍ରୟାଗରାଜ ବିମାନବନ୍ଦର ସଂସ୍କୃତି ଓ ଭକ୍ତିର ସହର ତଥା ମହାକୁମ୍ଭ ମହୋତ୍ସବକୁ ଆସିବା ପାଇଁ ଏକ ପ୍ରମୁଖ ପ୍ରବେଶ ପଥରେ ପରିଣତ ହୋଇପାରିଛି । ୧୩ ଜାନୁୟାରୀରୁ ୨୬ ଫେବୃୟାରୀ ମଧ୍ୟରେ ମହାକୁମ୍ଭକୁ ଭକ୍ତମାନଙ୍କ ଆଗମନ ପାଇଁ ସମ୍ପ୍ରସାରଣ କାମ କରାଯାଇଛି । ଉପଯୁକ୍ତ ପ୍ଲାନିଂ ଓ ସମନ୍ୱୟ କାରଣରୁ ପ୍ରୟାଗରାଜ ବିମାନବନ୍ଦରକୁ ସମ୍ପ୍ରସାରିତ କରାଯାଇଛି । ଗତବର୍ଷ ଡିସେମ୍ବର ୮ ତାରିଖରେ ରାମ ମୋହନ ନାଇଡୁ ଟର୍ମିନାଲ ସମ୍ପ୍ରସାରଣ, ମରାମତି କାର୍ଯ୍ୟ, ଯାତ୍ରୀ ସୁବିଧା ପରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସରକାର, ଡିଜିସିଏ, ବିସିଏଏସ, ଏଏଆଇ ସହ ନିୟମିତ ସମୀକ୍ଷା ବୈଠକ କାରଣରୁ ସମୟ ଭିତରେ ବିଭିନ୍ନ ପ୍ରକଳ୍ପ କାମ ସରିଛି । ଚଳିତବର୍ଷ ଜାନୁୟାରୀ ୯ ତାରିଖରେ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମୋହଲ ପ୍ରୟାଗରାଜ ବିମାନବନ୍ଦରର କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବି କରିଥିଲେ । ଚଳିତବର୍ଷ ଜାନୁୟାରୀରେ ୮୧ଟି ଅତିରିକ୍ତ ନୂଆ ବିମାନ ସେବା ଲାଗୁ କରାଯାଇଛି । ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରୟାଗରାଜକୁ ମାସିକ ୮୦ ହଜାର ସିଟ ବିଶିଷ୍ଟ ୧୩୨ଟି ବିମାନ ସେବା ଜାରି କରାଯାଇଛି । ସାରା ଦେଶର ୧୭ଟି ସହରରୁ ପ୍ର୍ରୟାଗରାଜ ସହ ସିଧା ସଳଖ ବିମାନ ସେବା ପରିବର୍ଦ୍ଧିତ କରାଯାଇଛି ଯାହା ଡିସେମ୍ବରରେ ମାତ୍ର ୮ଟି ଭିତରେ ସୀମିତ ରହିଥିଲା । ଶ୍ରୀନଗର ଓ ବିଶାଖାପାଟଣା ସମେତ ସାରା ଦେଶର ୨୬ଟି ସହର ସହ ସିଧା ସଳଖ ବିମାନ ଉଡାଣ ହୋଇ ପ୍ରୟାଗରାଜକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସିପାରୁଛନ୍ତି । ମହାକୁମ୍ଭ ଅବସରରେ ବିଭିନ୍ନ ସ୍ନାନ ପାଇଁ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ବିମାନ ଭଡା ବି ଅପରିବର୍ତିତ ରଖାଯାଇଛି । ୨୯ ଜାନୁୟାରୀ, ୩ ଫେବୃୟାରୀ, ୪ ଫେବୃୟାରୀ, ୧୨ ଫେବୃୟାରୀ, ୨୬ ଫେବୃୟାରୀରେ ସାହି ସ୍ନାନ ସହ ବିଭିନ୍ନ ସ୍ନାନର ବିଧି ରହିଛି । ଏଥିପାଇଁ ଆବଶ୍ୟକୀୟ ବନ୍ଦୋବସ୍ତ କରିବାକୁ ଡିଜିସିଏକୁ କୁହାଯାଇଥିବା ସୂଚନା ମିଳିଛି । ତଦନୁସାରେ ଅହମଦାବାଦକୁ ସଂଯୋଗ କରି ୨୮ ଓ ୨୯ ଜାନୁୟାରୀରେ ଆକାଶ ଏୟାର ପକ୍ଷରୁ ବିମାନ ସେବା ଆରମ୍ଭ କରାଯିବ । ଫେବୃୟାରୀରେ ଅହମଦାବାଦରୁ ୯ଟି ବିମାନ ଓ ବେଙ୍ଗାଳୁରୁରୁ ପ୍ରୟାଗରାଜକୁ ଚାରି ହଜାର ସିଟ ବିଶିଷ୍ଟ ୧୨ଟି ବିମାନ ସେବା ଆରମ୍ଭ କରାଯିବ । ଦିଲ୍ଲୀ, ଚେନ୍ନାଇ, ଗୁଆହାଟି, ବେଙ୍ଗାଳୁରୁ, ଅହମଦାବାଦ, ମୁମ୍ବାଇ, ଜୟପୁର, ହାଇଦ୍ରାବାଦରୁ ପ୍ରୟାଗରାଜକୁ ଫେବୃୟାରୀ ସୁଦ୍ଧା ୪୩ ହଜାର ସିଟ ବୃଦ୍ଧି କରାଯାଇ ସ୍ପାଇସ ଜେଟ ବିମାନ ସେବା ଆରମ୍ଭ ହେବାର ରହିଛି । ମହାକୁମ୍ଭ ସମୟରେ ବିଭିନ୍ନସ୍ଥାନରୁ ପ୍ରୟାଗରାଜକୁ ବିମାନ ସେବା ଦ୍ୱାରା ଅଧିକରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯିବା ଆସିବା କରିପାରିବେ । ପ୍ରୟାଗରାଜକୁ ଅଧିକ ବିମାନସେବା ଦ୍ୱାରା ବିମାନ ଭଡା ବୃଦ୍ଧି ଜନିତ ଚାପ ହ୍ରାସ ହୋଇପାରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଲାଗି ପଥ ସୁଗମ ହୋଇଯିବ । ମହାକୁମ୍ଭ ସମୟରେ ସପ୍ତାହକ ମଧ୍ୟରେ ୩୦, ୧୭୨ ଜଣ ଯାତ୍ରୀଙ୍କୁ ନେଇ ୨୨୬ଟି ବିମାନ ଚଳାଚଳ କରିଛି । ପ୍ରଥମଥର ପାଇଁ ଗୋଟିଏ ଦିନରେ ୫ ହଜାର ଯାତ୍ରୀ ଯିବା ଆସିବା କରିବାର ରେକର୍ଡ ସୃଷ୍ଟି ହୋଇଛି । ୧୦୬ ବର୍ଷ ଭିତରେ ୨୪ ଘଂଟିଆ ବିମାନ ସେବା ଲାଗି ରାତିରେ ବି ବିମାନ ଚଳାଚଳ ଆରମ୍ଭ କରାଯାଇଛି । ବିମାନ ବନ୍ଦରର ଟର୍ମିନାଲକୁ ୬, ୭୦୦ ସ୍କୋୟାର ମିଟରରୁ ୨୫, ୫୦୦ ସ୍କୋୟାର ମିଟରକୁ ବୃଦ୍ଧି କରାଯାଇଛି । ପୁରୁଣା ଟର୍ମିନାଲ ୫୪୦ରୁ ୧,୦୮୦ ଯାତ୍ରୀଙ୍କୁ ହ୍ୟାଣ୍ଡଲ କରିପାରିବାର କ୍ଷମତା ବହନ କରିଛି । ନୂଆ ଟର୍ମିନାଲରେ ଏବେ ୧,୬୨୦ ଯାତ୍ରୀଙ୍କୁ ହ୍ୟାଣ୍ଡଲ କରାଯାଇ ପାରୁଛି । ୨୦୦ରୁ ୬୦୦ ଯାନ ପାର୍କିଂ କରିପାରିବାର ବି ବ୍ୟବସ୍ଥା କରାଯାଇଛି । ୮ରୁ ୪୨କୁ ଚେକ-ଇନ କାଉଂଟର ବୃଦ୍ଧି କରାଯାଇଛି । ୪ରୁ ୧୦କୁ ଏକ୍ସବିଆଇଏସ ଓ ଏଚବି ମେସିନ ବୃଦ୍ଧି କରାଯାଇଛି । ଅତିରିକ୍ତ ଟ୍ୟାକ୍ସି ଟ୍ରାକ ସହ ୪ରୁ ୧୫କୁ ପାର୍କିଂ ରେ ବୃଦ୍ଧି, ୨ରୁ ୫କୁ କନଭେୟର ବେଲ୍ଟ ବୃଦ୍ଧି, ୪ରୁ ୧୧କୁ ବିମାନ ବନ୍ଦର ଗେଟ ସଂଖ୍ୟାରେ ବୃଦ୍ଧି ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଫ ଆଣ୍ଡ ବି କାଉଂଟର ସଂଖ୍ୟା ବୃଦ୍ଧି କରାଯାଇଛି । ଉଡାନ ଯାତ୍ରୀ କାଫେ ଦ୍ୱାରା ଏହି ବନ୍ଦୋବସ୍ତ କରାଯାଇଛି । ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରି ପେଡ ଟ୍ୟାକ୍ସି କାଉଂଟର ସିଟି ବସ ସର୍ଭିସ ପରି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଆମ୍ବୁଲାନ୍ସ ସେବା ସହ ଏୟାର ଆମ୍ବୁଲାନ୍ସ ସେବାକୁ ବି ବୃଦ୍ଧି କରାଯାଇଛି । ଚଳିତ ମହକୁମ୍ଭକୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ସହଯୋଗକ୍ରମେ ଏସବୁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

Leave A Reply

Your email address will not be published.