- ଟର୍ମିନାଲ ବିଲଡିଂର ସମ୍ମୁଖ ଭାଗରେ ଶ୍ରୀରାମ ମନ୍ଦିରର ସ୍ଥାପତ୍ୟକୁ ଦର୍ଶାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନବ ନିର୍ମିତ ଅଯୋଧ୍ୟା ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି । ଏହି ବିମାନ ବନ୍ଦରର ନାମ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ରଖାଯାଇଛି । ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ବିମାନ ବନ୍ଦରକୁ ମହର୍ଷି ବାଲ୍ମୀକିଙ୍କ ନାମରେ ନାମିତ କରି ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ମହର୍ଷି ବାଲ୍ମୀକିଙ୍କ ରାମାୟଣ ହେଉଛି ଜ୍ଞାନର ମାର୍ଗ ଯାହା ଆମକୁ ଶ୍ରୀରାମଙ୍କ ସହ ଯୋଡିଥାଏ । ଆଧୁନିକ ଭାରତର ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନ ବନ୍ଦର ଆମକୁ ଅଯୋଧ୍ୟା ଧାମ ଏବଂ ଦିବ୍ୟ ଭବ୍ୟ ରାମ ମନ୍ଦିର ସହିତ ସଂଯୁକ୍ତ କରିବ । ପ୍ରଥମ ପର୍ଯ୍ୟୟରେ ଏହି ବିମାନ ବନ୍ଦର ବାର୍ଷିକ ୧୦ ଲକ୍ଷ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରେ ମହର୍ଷି ବାଲ୍ମୀକି ଅନ୍ତର୍ଜାତୀୟ ବିମାନ ବନ୍ଦର ବାର୍ଷିକ ୬୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ୧୪୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ନିର୍ମାଣ କରାଯାଇଛି । ବିମାନ ବନ୍ଦରର ଟର୍ମିନାଲ ବିଲ୍ଡିଂର କ୍ଷେତ୍ରଫଳ ୬୫୦୦ ବର୍ଗ ମିଟର ହେବ, ଯାହା ବାର୍ଷିକ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ । ଟର୍ମିନାଲ ବିଲଡିଂର ପ୍ରାଙ୍ଗଣରେ ଅଯୋଧ୍ୟାର ଆଗାମୀ ଶ୍ରୀରାମ ମନ୍ଦିରର ମନ୍ଦିର ସ୍ଥାପତ୍ୟକୁ ଚିତ୍ରିତ କରାଯାଇଛି । ଟର୍ମିନାଲ ବିଲ୍ଡିଂର ଆଭ୍ୟନ୍ତରୀଣ ଭାଗ ଭଗବାନ ଶ୍ରୀରାମଙ୍କ ଜୀବନୀକୁ ଦର୍ଶାଉଥିବା ସ୍ଥାନୀୟ କଳା, ଚିତ୍ର କଳା ଏବଂ ଚିତ୍ରରେ ସଜ୍ଜିତ ହୋଇଛି । ଅଯୋଧ୍ୟା ବିମାନ ବନ୍ଦରର ଟର୍ମିନାଲ ବିଲ୍ଡିଂରେ ଜିଆର୍ଆଇଏଚ୍ଏ – ୫ ଷ୍ଟାର ରେଟିଂ ପୂରଣ କରିବା ପାଇଁ ଇନସୁଲେଟେଡ୍ ଛାତ ବ୍ୟବସ୍ଥା, ଏଲ୍ଇଡି ଲାଇଟିଂ, ବର୍ଷା ଜଳ ସଂରକ୍ଷଣ, ଝରଣା ସହିତ ଲ୍ୟାଣ୍ଡସ୍କେପିଂ, ଜଳ ବିଶୋଧନ ପ୍ଲାଣ୍ଟ, ସ୍ୱେରେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ସୌରଶକ୍ତି ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଅନେକ ବୈଶିଷ୍ଟ୍ୟ ପ୍ରଦାନ କରାଯାଇଛି । ଏହି ବିମାନ ବନ୍ଦର ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆଣିବ ଏବଂ ପର୍ଯ୍ୟଟନ, ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରିବ ।