om academy

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦାବୀରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ଦାବୀରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଟି ପକ୍ଷରୁ କୁହାଯାଇଛି ଯେ, ରାଜେନ୍ଦ୍ର କଲେଜକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାର ତିନି ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଅଦ୍ୟାବଧି ଖାଲି ପଡିଥିବା ୧୨୬ ଅଧ୍ୟାପକ ଜାଗାରେ ମାତ୍ର ୧୯ ଜଣ ଅଧ୍ୟାପକରେ କାମ ଚଲାଇ ଦିଆଯାଉଛି । ଫଳରେ ଗୁଣାତ୍ମକ ଶିକ୍ଷାରୁ ଛାତ୍ରଛାତ୍ରୀ ବଂଚିତ ହେଉଛନ୍ତି । କର୍ମଚାରୀ ପଦବୀ ମଞ୍ଜୁରି ଦିଆଯାଉ ନ ଥିବାରୁ ବିଭିନ୍ନ ସେବାରୁ ବଂଚିତ ହେବା ସହ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଉପରେ ମଧ୍ୟ ପ୍ରଭାବ ପଡୁଛି । ଯାହାର ସଦ୍ୟତମ ଉଦାହରଣ ଚଳିତ ତୃତୀୟ ସେମିଷ୍ଟାର ପରୀକ୍ଷାରେ ତୃଟି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ନପାଇବା । ହଷ୍ଟେଲ ଗୁଡିକର ବିକାଶ ନାଁରେ ଅହେତୁକ ଫି’ ବୋଝ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦିଆଯାଉଛି । ଚଳିତ ବର୍ଷ ନୂଆ ହଷ୍ଟେଲଗୁଡିକରେ ୪୯୦୦ ଓ ପୁରୁଣା ହଷ୍ଟେଲ ଗୁଡିକରେ ୨୯୦୦ ଟଙ୍କା ଫି’ ବୃଦ୍ଧି କରାଯାଇଛି । ଫଳରେ ବହୁ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଆଜି ଏଆଇଡିଏସ୍‌ଓ ଜିଲ୍ଲା କମିଟି ପକ୍ଷରୁ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି, ପିଏଚ୍‌ଡି ଖୋଳିବା, ଉନ୍ନତ ସ୍ତରର ଲାଇବ୍ରେରୀ ପ୍ରତିଷ୍ଠା, ହଷ୍ଟେଲଗୁଡିକର ବର୍ଦ୍ଧିତ ଫି’ ପ୍ରତ୍ୟାହାର ସହ କେମ୍ପସର ସୁରକ୍ଷା, ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ, କଲେଜ ଛକରୁ କେମ୍ପସ ପର୍ଯ୍ୟନ୍ତ ନିଶା ଦ୍ରବ୍ୟ ଓ ଅପରାଧିକ କାର୍ଯ୍ୟକଳାପ ବନ୍ଦ ଏବଂ ନୂତନ ଭାବେ ନିର୍ମିତ ହଷ୍ଟେଲକୁ କାର୍ଯ୍ୟକ୍ଷମ ଆଦି ୬ ଦଫା ଦାବୀରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ କୁଳପତିଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇ ପ୍ଲାଟିନମ୍‌ ଜୁବୁଲି ଗେଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭରେ ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସଂପାଦକ ମଧୁସୂଦନ ବାଗ, ବିକାଶ ଜେନା, ତ୍ରିଲୋଚନ ସାହୁ, ଗୌରୀ ରାଉତଙ୍କ ସହ ବହୁ ଛାତ୍ରଛାତ୍ରୀ ସାମିଲ ଥିଲେ ।

Leave A Reply

Your email address will not be published.