ଶତାଧିକ ଛାତ୍ରଛାତ୍ରୀଙ୍କୁ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ : ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ସ୍କୁଲ କମିଟି ଓ ଅଭିଭାବକ ବିଦ୍ୟାଳୟରେ ତାଲା ପକାଇ କଲେ ବିକ୍ଷୋଭ ପ୍ରଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନରେ ଥିବା ବିବିନା ପଞ୍ଚାୟତର ଜାମପଦର ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ । ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଓ ଶିକ୍ଷକ ଥିବା ବେଳେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି । ଯାହା ଫଳରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଏହି ବିଦ୍ୟାଳୟ ପାଇଁ ଆହୁରି ୩ ଜଣ ଶିକ୍ଷକ ଆବଶ୍ୟକ ରହୁଥିବା ବେଳେ ଶିକ୍ଷା ବିଭାଗର ମନମୁଖୀ କାରନାମା ପ୍ରତିବାଦରେ ବିଦ୍ୟାଳୟ କମିଟି ଓ ଅଭିଭାବକମାନେ ଏକତ୍ରିତ ହୋଇ ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଘଟଣାସ୍ଥଳରେ ସିଆର୍‌ସିସି ମନୋଜ ସାହୁ ପହଂଚି ଆନ୍ଦୋଳନକାରୀ ଅଭିଭାବକମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ଏନେଇ ସ୍କୁଲ କମିଟି ତରଫରୁ ସଇଁତଲା ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ ଜିଲ୍ଲା ଡିପିସି ଅଫିସରେ ଅଛି । ତୁରନ୍ତ ଶିକ୍ଷକ ସମସ୍ୟା ପୂରଣ କରାଯିବ ବୋଲି ପ୍ରକାଶ କରିଥିଲେ । ପ୍ରକାଶ ଯେ, ଜାମପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏଥିରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଓ ଅନ୍ୟ ଜଣେ ସହକାରୀ ଶିକ୍ଷକ କାର୍ଯ୍ୟରତ ରହିଛନ୍ତି । କିନ୍ତୁ ଦୀର୍ଘ ୬ ମାସରୁ ଅଧିକ ହେଲା ସ୍କୁଲ କମିଟି ଓ ଅଭିଭାବକମାନେ ଶିକ୍ଷକ ଅଭାବ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଯାହା ଫଳରେ ଶିକ୍ଷା ବିଭାଗ ଆଜିକାଲି କହି ଦିନ ଗଡି ଚାଲିଥିବା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏଣୁ ଶିକ୍ଷା ବିଭାଗ ତୁରନ୍ତ ହସ୍ତକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି । ୨ ଜଣ ଶିକ୍ଷକ ଶିକ୍ଷୟତ୍ରୀ କିପରି ଭାବରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇବେ ତାହାକୁ ନେଇ ସ୍କୁଲ କମିଟି ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ଆନ୍ଦୋଳନ ସମୟରେ ସ୍କୁଲ ସଭାପତି କାହ୍ନୁଚରଣ ଭାଟି, ୱାର୍ଡ ମେମ୍ବର ମିଥିଲା ଭାଟି, ବୈଷ୍ଣବ ସାଗର, ମାଳତୀ ସାଗର, ଜୁନା ସାଗର, ରାଷ୍ଟ୍ର ସାଗର, ଗଜେନ୍ଦ୍ର ସିଂ ଭୋଇ, ସୁବାଷ ଭୋଇ, ରବି ଚନ୍ଦ୍ର ଭାଟି, ସଧା ନନ୍ଦ ଭାଟି, ଶଙ୍କର ସାଗର, ପଦ୍ମମା ଦୀପ, ହେମଲତା ସାଗର, ସାବିତ୍ରୀ ସାଗର, ଅଞ୍ଜଳି ବାଗ, ତପସ୍ୱନୀ ସାଗର, ପ୍ରଭାତୀ ସାଗର, ଲିଲି ସାଗରଙ୍କ ସମେତ ସ୍କୁଲ କମିଟି ସଦସ୍ୟ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.