ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଆସାମୀକୁ କଠୋର ଦଣ୍ଡ ଓ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଦାବୀରେ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଆସାମୀକୁ କଠୋର ଦଣ୍ଡ ଓ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ସହ ଆଇନତଃ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟ ବିଜେପି ଆହ୍ବାନରେ ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକ ଓ ୩ଟି ପୌର ପରିଷଦରେ ଜିଲ୍ଲା ବିଜେପି ବିକ୍ଷୋଭ ଆନ୍ଦୋଳନ କରିଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ସୁବର୍ଣ୍ଣପୁର ସଦର ବ୍ଲକ ଓ ପୌର ପରିଷଦ କାର୍ୟ୍ୟାଳୟ ଆଗରେ ରାଜ୍ୟ ସରକାର ବିରୁଦ୍ଧରେ ନାରାବାଜି ସହ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଦିବ୍ୟଶଂକର ମିଶ୍ର ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ରାଜ୍ୟରେ ବଢି ବଢି ଚାଲିଥିବା ନାରୀ ନିର୍ଯ୍ୟାତନା, ହତ୍ୟା ତଥା ଧର୍ଷଣ ଘଟଣାକୁ ବିରୋଧ କରାଯାଇଛି । ଜିଲ୍ଲାର ଉଲୁଣ୍ଡା, ବୀରମହାରାଜପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ପ୍ରଭୃତି ସ୍ଥାନରେ ମଧ୍ୟ ବିଜେପିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚାର କର୍ମୀମାନେ ଏହି ପ୍ରତିବାଦ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ରାଜ୍ୟରେ ବଢୁଥିବା ନାରୀ ନିର୍ୟ୍ୟାତନା ପ୍ରସଙ୍ଗକୁ ନେଇ ଆଗାମୀ ଦିନରେ ଜିଲ୍ଲା ବିଜେପି ପକ୍ଷରୁ ଦୁର୍ବାର ଆନ୍ଦୋଳନ କରାଯିବା ସହ ତୃଣମୂଳସ୍ତର ଯାଏଁ ନିଆଯିବ ବୋଲି ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.