ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ରାଜ୍ୟରେ ମହିଳା ଓ ଶିଶୁଙ୍କ ଅସୁରକ୍ଷା ଜନିତ ସମସ୍ୟାକୁ ନେଇ ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ତଥା ଧାରଣା ଦିଆଯାଇଛି । ଜିଲ୍ଲା କଂଗ୍ରେସର ସଭାପତି ଗୌରୀଶ୍ୟାମ ପଣ୍ଡାଙ୍କ ନେତୃତ୍ବରେ ହୋଇଥିବା ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ କଂଗ୍ରେସ ନେତୃ ମଣ୍ଡଳୀଙ୍କ ସହ ଯୁବ କଂଗ୍ରେସ ଓ ମହିଳା କଂଗ୍ରେସର କର୍ମକର୍ତ୍ତା ସାମିଲ ହୋଇ ନବୀନ ସରକାର ବିରୁଦ୍ଧରେ ନାରାବାଜି କରିଛନ୍ତି । ବିଶେଷକରି ଓଡିଶା ପରି ଶାନ୍ତିପ୍ରିୟ ରାଜ୍ୟରେ ବିଜଦ ଶାସନର ଏକ ଦଶନ୍ଧି ଧରି ହେଉଥିବା ନାରୀ ନିର୍ଯ୍ୟାତନା, ନାବାଳିକା ଅପହରଣ, ଶିଶୁ ନିଖୋଜ, ଯୌନ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ ହତ୍ୟା ପରି ଅମାନବୀୟ ଓ ସମ୍ବେଦନଶୀଳ ଘଟଣାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଅଭିଯୋଗ କରାଯାଇଛି । ରାଜ୍ୟର ନବୀନ ସରକାରର ବିଫଳତାକୁ ଦାୟୀ କରି ତୁରନ୍ତ ସରକାରକୁ ବରଖାସ୍ତ କରାଯିବା ଦାବୀକୁ ଜିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା ଦୋହରାଇଥିବାବେଳେ ନୈତିକତା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଇସ୍ତଫା ଦେବା ଉଚିତ ବୋଲି କହିଛନ୍ତି । ଆଜିର ଧାରଣା ଓ ବିକ୍ଷୋଭ ଆଗାମୀ ଦିନର ଦୁର୍ବାର ଆନ୍ଦୋଳନକୁ ଇନ୍ଧନ ଦେବା ସହ ଏକ ଅଥର୍ବ ସରକାର ପାଇଁ ଅନ୍ତିମ ସତର୍କ ଘଣ୍ଟି ବୋଲି ଚେତାବନୀ ଦେଇଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ।

Leave A Reply

Your email address will not be published.