ଜିଲ୍ଲାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଏବିଭିପିର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିରୁଦ୍ଧରେ ଏବିଭିପି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ସମାବେଶରେ ମୁଖ୍ୟତଃ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ୯୦ ଶତକଡା ପଦବୀ ଖାଲି ପଡି ରହିଥିବା ସ୍ଥଳେ ବିଶ୍ୱବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ସିମିତ ରହିଥିବା ନେଇ ସଂଘ ସରକାର ଉପରେ ବର୍ଷିଥିଲା । ଶତାଧିକ କାର୍ଯ୍ୟକର୍ତ୍ତାଙ୍କୁ ନେଇ ହୋଇଥିବା ଏହି ବିକ୍ଷୋଭ ସମାବେଶରେ କାର୍ଯ୍ୟକର୍ତ୍ତାମାନେ ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ବ୍ୟବସ୍ଥା ଉପରେ ବିଷୋଦଗାର କରିଥିଲେ । ଛାତ୍ର ସମାଜ ପକ୍ଷରୁ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସରକାର ଏହାକୁ ଅଣଦେଖା କରି ଛାତ୍ରମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ବୋଲି ଏବିଭିପି ପକ୍ଷରୁ କୁହାଯାଇଥିଲା । ତେବେ ଏଭଳି ପରିପ୍ରେକ୍ଷୀରେ ଏବିଭିପି ପକ୍ଷରୁ ଏକ ୧୮ ଦଫା ଦାବୀପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଯେଉଁଥିରେ ଜିଲ୍ଲାରେ ଏକ ଧନ୍ଦାମୂଳକ ଶିକ୍ଷା କେନ୍ଦ୍ର ଇଞ୍ଜିନିଅରିଂ କଲେଜ, ସ୍ୱତନ୍ତ୍ର ମହିଳା ଥାନା, କୃଷି ବିଶ୍ୱବିଦ୍ୟାଳୟ ତଥା ଗବେଷଣା କେନ୍ଦ୍ର, ମହାବିଦ୍ୟାଳୟରେ ନିଯୁକ୍ତି ମେଳା, ନିଶା କାରବାର ଉପରେ ଅଙ୍କୁଶ, ବଲାଙ୍ଗିର ଖୋର୍ଦ୍ଧା ରେଳପଥକୁ ତ୍ୱରାନ୍ୱିତ କରିବା, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ମଧ୍ୟରେ ଏଜ୍‌ ଫାଣ୍ଡି ନିର୍ମାଣ, ସ୍ଥାନୀୟ ପଦ ପଦବୀରେ ଜିଲ୍ଲାବାସୀଙ୍କୁ ପ୍ରଥମିକତା, ପର୍ଯ୍ୟଟନ ଭିତ୍ତିକ ରୋଜଗାର ଓ ଭିତ୍ତିଭୂମୀ, ସମସ୍ତ ମହାବିଦ୍ୟାଳୟରେ ପାଚେରୀ ନିର୍ମାଣ ଓ ସମସ୍ତ ଖାଲି ପଡି ରହିଥିବା ପଦବୀ ପୁରଣ, ଶିକ୍ଷାନୁଷ୍ଠାନମାନଙ୍କ ଫିସ୍‌ ଉପରେ ନିୟନ୍ତ୍ରଣ, ପାନୀୟ ଜଳ ସମସ୍ୟାର ସମାଧାନ ଆଦି ବିଭିନ୍ନ ଦାବି ଉଲ୍ଲେଖ ରହିଛି । ଯଥା ଶୀଘ୍ର ଦାବୀ ପୁରଣ ନହେଲେ ଏବିଭିପି ଏହି ଆନ୍ଦୋଳନକୁ ରାଜ୍ୟ ସ୍ଥରୀୟ କରିବା ସହ ରାଜ ରାସ୍ତାକୁ ଓହ୍ଲାଇବ ବୋଲି କହିଛି ।

Leave A Reply

Your email address will not be published.