ପର ଠାରୁ ଗାଡି ମାଗି ଚଳାଇବା ମାହାଙ୍ଗା ପଡିଲା : ପୁଅ ପାଇଁ ବାପାର ଆତ୍ମହତ୍ୟା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପରଠାରୁ ଗାଡି ମାଗି ଆଣି ଦୁର୍ଘଟଣାର ଶୀକାର ହେଲା ପୁଅ । ଭାଙ୍ଗିରୁଜି ଗଲା ଦାମିକା ବାଇକ । ଗାଡି ମାଲିକକୁ କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ । ସୂଚନା ପ୍ରକାରେ, ଏହି ଗ୍ରାମର ନବ କିଶୋର କହଁରଙ୍କ ପୁଅ ତାର ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ ମାଗି ଆଣିଥିଲା । ତେବେ ସଉକରେ ଏହି ଗାଡି ଚଳାଇବା ବେଳେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲା । ଏହି ଘଟଣା ପରେ ଗାଡି ମାଲିକ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ ଦୁର୍ଘଟଣା ଘଟାଇଥିବା ଯୁବକର ବାପା ନବ କିଶୋରଙ୍କୁ । କିନ୍ତୁ ଏତେ ଟଙ୍କା ଦେବାର ସାମର୍ଥ୍ୟ ନଥିଲା ନବକିଶୋରଙ୍କର । ଏହାକୁ ନେଇ ନବଙ୍କ ପରିବାର ଭିତରେ ବାପ ପୁଅ ଭିତରେ ମନାନ୍ତର ହୋଇଥିଲା । ରାତିରେ ଖାଇ ପିଇ ଅଲଗା ଘରେ ଶୋଇଥିଲେ ନବ କିଶୋର । ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ଡାକିବାରେ ଦୁଆର ଖୋଲିଥିଲେ ନବ । ତେବେ ସେତେବେଳକୁ ସେ କୀଟନାଶକ ପିଇ ଦେଇଥିବା ଜଣାପଡିଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ଗୋଚ୍ଛାପଡା ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୨ା୨୧ ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଜଣାଇଛନ୍ତି ।

Leave A Reply

Your email address will not be published.