- ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ : ଭର୍ତ୍ତୃହରି ମହତାବ
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ କାର୍ଯାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ – ୨୦୪୭’ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସଚେନତତା କାର୍ଯ୍ୟକ୍ରମ ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି । ଦୀର୍ଘ ଆଠ ଦିନବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥିଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ସେ କହିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଉଚ୍ଚ ଚିନ୍ତାଧାରା ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳୁଛି । ତାଙ୍କ ନେତୃତ୍ୱରେ ଭାରତ ଅନେକ ସ୍ୱପ୍ନକୁ ଆଜି ବାସ୍ତବତାର ରୂପ ଦେଇପାରିଛି । ବିଶ୍ୱ ଦରବାରରେ ଭାରତକୁ ଏକ ନୂତନ ପରିଚୟ ମିଳିପାରିଛି ବୋଲି ଶ୍ରୀ ମହତାବ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଏବଂ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ ଏହି ପ୍ରଦର୍ଶନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅଧିକରୁ ଅଧିକ ଲୋକ ଏହାକୁ ବୁଲି ଦେଖିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଓ ପତ୍ର ସୂଚନା କାର୍ଯ୍ୟାଳୟର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି ଉପସ୍ଥିତ ଥିଲେ । କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ମହେନ୍ଦ୍ର ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ପ୍ରଦର୍ଶନୀରେ ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ସଚେତନ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ । ଆଠ ଦିନବ୍ୟାପୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପ୍ରଦର୍ଶନୀ ମଞ୍ଚରେ ବିଭିନ୍ନ ସଚେତନଧର୍ମୀ ସାଂସ୍କୃତିକ କାର୍ୟ୍ୟକ୍ରମ ସହ ଆଲୋଚନାଚକ୍ର ଏବଂ ପ୍ରତିଯୋଗିତା ଆୟୋଜନ ମୁଖ୍ୟ ଆକର୍ଷଣ ହେବ।