ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

  • ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ
  • ବିକଶିତ ଭାରତ ସଂକଳ୍ପ ଯାତ୍ରା’ ରେ ହିତାଧିକାରୀଙ୍କ ପାଖରେ ସରକାରୀ ଯୋଜନାର ଶତ ପ୍ରତିଶତ ଲାଭ ପହଞ୍ଚାଇବାକୁ
    ଗୁରୁତ୍ୱ ଦିଆଯାଇଛି
  • ମୁଁ କ୍ରମାଗତ ଭାବରେ ବାଦ୍ ପଡ଼ିଥିବା ଲୋକମାନଙ୍କୁ ଖୋଜୁଛି
  • ମୋଦୀ କି ଗ୍ୟାରେଣ୍ଟି କି ଗାଡି ଯେଉଁ ସ୍ଥାନକୁ ଯାଉଛି, ତାହା ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ଲୋକମାନଙ୍କର ଆଶା
    ପୂରଣ କରୁଛି
  • ମୁଁ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି
  • ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ କାର୍ଯ୍ୟକ୍ରମ ଅନେକଙ୍କ ଜୀବନରେ ସମୃଦ୍ଧି ଆଣିବାରେ ସହାୟକ ହେବ
  • ସମବାୟ ସମିତି ଗୁଡିକ ଭାରତରେ ଗ୍ରାମୀଣ ଜୀବନରେ ଯେପରି ଏକ ଶକ୍ତିଶାଳୀ ଦିଗ ଭାବେ ଉଭା ହେବ ତାହା ହେଉଛି
    ଆମର ପ୍ରୟାସ

    ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ ।
    ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିକଶିତ ଭାରତର ସଂକଳ୍ପ ସହ ଏହି ଅଭିଯାନ ଆଗେଇ ଚାଲିଛି । ବିକଶିତ ଭାରତ ସଂକଳ୍ପ ଯାତ୍ରା ଆରମ୍ଭ ହେବାର ୫୦ ଦିନ ଅତିକ୍ରମ କରିନଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ଯାତ୍ରା ୨.୨୫ ଲକ୍ଷ ଗାଁରେ ପହଞ୍ଚିଛି । ଏହା ଏକ ରେକର୍ଡ ବୋଲି କହିବା ସହିତ, ସେ ସମସ୍ତଙ୍କୁ ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ ହେଉଛି ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା, ଯିଏ କୌଣସି କାରଣରୁ ଭାରତ ସରକାରଙ୍କ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକମାନଙ୍କ ପାଖରେ ଏହି ସକ୍ରିୟ ପହଞ୍ଚିବାର ଉଦ୍ଦେଶ୍ୟ ହେଉଛି ସେମାନଙ୍କୁ ଆଶ୍ୱାସନା ଦେବା ଯେ ସରକାରୀ ଯୋଜନା ଗୁଡିକ ସମସ୍ତଙ୍କ ପାଇଁ ଉପଲବ୍ଧ ଏବଂ ଏଥିରେ କୌଣସି ଅନୁଗ୍ରହ କିମ୍ବା ଭେଦଭାବ ନାହିଁ । ଏଥିରୁ ବାଦ୍ ପଡ଼ିଥିବା ଲୋକମାନଙ୍କୁ ମୁଁ ଖୋଜୁଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ମଧ୍ୟରେ ଅଭୂତ ପୂର୍ବ ଆତ୍ମ ବିଶ୍ୱାସକୁ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ “ଗତ ୧୦ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରତ୍ୟେକ ହିତାଧିକାରୀଙ୍କର ସେମାନଙ୍କ ଜୀବନରେ ହୋଇଥିବା ପରିବର୍ତ୍ତନ ବିଷୟରେ ଏକ କାହାଣୀ ଅଛି । ଏହା ଏକ ସାହସ ଭରା କାହାଣୀ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସୁବିଧାଗୁଡ଼ିକ ହିତାଧିକାରୀମାନଙ୍କୁ ସେମାନଙ୍କ ଜୀବନକୁ ଆହୁରି ଉନ୍ନତ କରିବାକୁ ପ୍ରେରଣା ଦେଉଛି । ଆଜି ଦେଶର ଲକ୍ଷ ଲକ୍ଷ ହିତାଧିକାରୀ ସରକାରୀ ଯୋଜନାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରି ଆଗକୁ ବଢ଼ୁଛନ୍ତି । ସେ କହିଛନ୍ତି ଯେ, ମୋଦି କି ଗ୍ୟାରେଣ୍ଟି କି ଗାଡି ଯେଉଁ ସ୍ଥାନକୁ ଯାଉଛି, ତାହା ଲୋକଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରୁଛି ଏବଂ ଲୋକଙ୍କ ଆଶା ପୂରଣ କରୁଛି । ଭିବିଏସ୍‌ୱାଇ ସମୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଁ ୪.୫ ଲକ୍ଷ ନୂଆ ଆବେଦନ ଦାଖଲ କରାଯାଇଛି । ୧ କୋଟି ଆୟୁଷ୍ମାନ କାର୍ଡ ପ୍ରଦାନ କରାଯାଇଛି । ୧.୨୫ କୋଟି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ୭୦ ଲକ୍ଷ ଲୋକଙ୍କର ଯକ୍ଷ୍ମା ପରୀକ୍ଷା କରାଯାଇଛି ଏବଂ ୧୫ ଲକ୍ଷ ସିକେଲ ସେଲ ରକ୍ତହୀନତା ପରୀକ୍ଷା କରାଯାଇଛି । ଏକା ସହିତ ଏବିଏଚ୍ଏ କାର୍ଡ ପ୍ରଦାନ କଲେ ହିତାଧିକାରୀମାନଙ୍କ ମେଡିକାଲ ରେକର୍ଡ ତିଆରି ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସମଗ୍ର ଦେଶରେ ସ୍ୱାସ୍ଥ୍ୟ ସମ୍ପର୍କରେ ନୂତନ ସଚେତନତା ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି । ଅନେକ ନୂତନ ଲୋକ ଏହି ସୁବିଧା ପାଉଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସ୍ଥାନୀୟ ସଂସ୍ଥାର ପ୍ରତିନିଧିମାନଙ୍କ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ଗ୍ରାମ, ୱାର୍ଡ, ସହର ଏବଂ ଅଞ୍ଚଳରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କହିଥିଲେ । ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ଗ୍ରାମ ଗ୍ରାମରେ ମହିଳାମାନଙ୍କୁ ଆତ୍ମ ନିଯୁକ୍ତି ଦେବା ପାଇଁ ଏକ ବିରାଟ ଅଭିଯାନ ଚଳାଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ ଦେଶର ପ୍ରାୟ ୧୦ କୋଟି ଭଉଣୀ, ଝିଅ ଓ ଦିଦି ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହି ଭଉଣୀ ଓ ଝିଅମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାଢ଼େ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଏହି ଅଭିଯାନକୁ ଆହୁରି ବ୍ୟାପକ କରିବା ପାଇଁ ମୁଁ ଆଗାମୀ ତିନି ବର୍ଷ ମଧ୍ୟରେ ୨ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସେ ନମୋ ଡ୍ରୋନ ଦିଦି ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ଗ୍ରାମୀଣ ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ । କ୍ଷୁଦ୍ର କୃଷକମାନଙ୍କୁ ସଂଗଠିତ କରିବା ଅଭିଯାନ ବିଷୟରେ ବିସ୍ତୃତ ବିବରଣୀ ଦେଇ ପ୍ରଧାନମନ୍ତ୍ରୀ ଏଫ୍‌ପିଓ ଏବଂ ପିଏସି ଭଳି ସମବାୟ ଉଦ୍ୟୋଗ ବିଷୟରେ ଆଲୋଚନା କରିଥିଲେ । ସେ କହିଥିଲେ ଯେ ଆମର ପ୍ରୟାସ ହେଉଛି ଭାରତରେ ଗ୍ରାମୀଣ ଜୀବନର ଏକ ମଜଭୁତ ଦିଗ ଭାବରେ ସମବାୟ ସମିତି ଯେପରି ଉଭା ହେବ । ବର୍ତ୍ତମାନ ପର୍ଟ୍ୟନ୍ତ ଆମେ କ୍ଷୀର ଏବଂ ଆଖୁ କ୍ଷେତ୍ରରେ ସମବାୟର ଲାଭ ଦେଖିଛୁ । ବର୍ତ୍ତମାନ ଏହାକୁ ଚାଷର ଅନ୍ୟାନ୍ୟ କ୍ଷେତ୍ର ଏବଂ ମାଛ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ବିସ୍ତାର କରାଯାଉଛି । ଆଗାମୀ ଦିନରେ ୨ ଲକ୍ଷ ଗ୍ରାମରେ ନୂଆ ପ୍ୟାକ୍ସ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖି ଆମେ ଆଗକୁ ବଢ଼ୁଛୁ । ଦୁଗ୍ଧ ଓ ସଂରକ୍ଷଣ କ୍ଷେତ୍ରରେ ସମବାୟ ସମାଧାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରସ୍ତାବ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨ ଲକ୍ଷରୁ ଅଧିକ କ୍ଷୁଦ୍ର ଶିଳ୍ପକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଏକ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ‘ଭୋକାଲ୍ ଫର୍ ଲୋକାଲ’ କୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ମୋଦୀ କି ଗ୍ୟାରେଣ୍ଟି କି ଗାଡି ଲୋକଙ୍କୁ ସ୍ଥାନୀୟ ଉତ୍ପାଦ ବିଷୟରେ ସୂଚନା ଦେଉଛି ଏବଂ ଏହି ଉତ୍ପାଦ ଗୁଡିକ ଜିଇଏମ୍ ପୋର୍ଟାଲରେ ମଧ୍ୟ ପଞ୍ଜୀକୃତ ହୋଇ ପାରିବ । ମୋଦି କି ଗ୍ୟାରେଣ୍ଟି କି ଗାଡିର ନିରନ୍ତର ସଫଳତା ଆଶା କରି ସେ ବକ୍ତବ୍ୟ ଶେଷ କରିଥିଲେ । ପୃଷ୍ଠଭୂମି ୧୫ ନଭେମ୍ବର, ୨୦୨୩ ରେ ଏହାର ଶୁଭାରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ (୩୦ ନଭେମ୍ବର, ୯ ଡିସେମ୍ବର ଏବଂ ୧୬ ଡିସେମ୍ବର) ଏହି ଆଲୋଚନା ହୋଇଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତାଙ୍କ ନିକଟରେ ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭ – ୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀମାନଙ୍କ ସହ ଶାରୀରିକ ଭାବରେ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକରେ ସଂତୃପ୍ତି ହାସଲ କରିବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।
Leave A Reply

Your email address will not be published.

error: Content is protected !!