କୋଣାର୍କ, (ପିଆଇବି) : ଓଡ଼ିଶା ସରକାରଙ୍କ ସହଭାଗୀତାରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ କୋଣାର୍କର ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିରଠାରେ ଏକ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ ପ୍ରଦର୍ଶନୀ ଆୟୋଜନ କରିଛି । ଏହା ଆସନ୍ତା ୨୧ ତାରିଖ ଯାଏ ଚାଲିବ। ଖଣିଜ ଅଞ୍ଚଳରେ ପ୍ରଭାବିତ ସମ୍ପ୍ରଦାୟଙ୍କ ବିକାଶ ତଥା ସଶକ୍ତିକରଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକୁ ଏହା ପ୍ରଦର୍ଶିତ କରୁଛି । କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଫରିଦା ଏମ୍ ନାଏକ ଏହି ପ୍ରଦର୍ଶନୀକୁ ଶନିବାର ଦିନ ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ସମାବେଶରେ ଖଣିଜ ମନ୍ତ୍ରଣାଳୟ ଓ ନାଲକୋର ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀରେ ସମୁଦାୟ ୧୮ଟି ଷ୍ଟଲ୍ ଖୋଲାଯାଇଛି । ଖଣିଜ ଉତ୍ତୋଳନ ହେତୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଡିଏମ୍ଏଫ୍ ସହାୟତାରେ ମହିଳା ସ୍ୱୟଂ ସହାୟତା ଗୋଷ୍ଠୀମାନଙ୍କ ଦ୍ୱାରା ନିଆଯାଉଥିବା ସ୍ୱରୋଜଗାର କାର୍ଯ୍ୟକ୍ରମର ସଫଳତା ନମୁନାକୁ ଏଠାରେ ପ୍ରଦର୍ଶନ କରାଯାଇଛି । ଏହା ସହ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାନ(ଜିଏସ୍ଆଇ), ହିନ୍ଦୁସ୍ତାନ କପର ଲିମିଟେଡ୍ (ଏଚ୍ସିଏଲ୍), ବେଦାନ୍ତ, ଏବଂ ଓଡ଼ିଶା ସରକାରଙ୍କ କିଛି ଷ୍ଟଲ୍ ମଧ୍ୟ ଏହି ପ୍ରଦର୍ଶନୀରେ ସାମିଲ ରହିଛି । ସ୍ଥାନୀୟ ଲୋକଙ୍କୁ କିପରି ପରିପୂରକ ବିକାଶ ପଦକ୍ଷେପ ଦ୍ୱାରା ସଶକ୍ତ କରାଯାଇପାରିବ ତାହା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପରିପୂରକ ବିକାଶ ଲାଗି ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଏହି ପ୍ରଦର୍ଶନୀ ପ୍ରତିଫଳିତ କରୁଛି ବୋଲି ନିଜର ଉଦ୍ଘାଟନୀ ଭାଷଣରେ କେନ୍ଦ୍ର ଖଣି ସଚିବ ଫରିଦା ନାଏକ କହିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ କର୍ପୋରେଟ୍ ସଂସ୍ଥା ଯେଉଁମାନେ ଏହି ପ୍ରଦର୍ଶନୀରେ ସହଯୋଗର ହାତ ବଢ଼ାଇଛନ୍ତି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରଚ୍ଛଦପଟ୍ଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଥାଇ ଏହି ପ୍ରଦର୍ଶନୀର ବାତାବରଣ କେବଳ ଯେ ପରିପୂରକ ବିକାଶକୁ ପ୍ରତିଫଳିତ କରୁଛି ତା’ ନୁହେଁ, ଏହା ଆମର ଉତ୍କୃଷ୍ଟ ସାଂସ୍କୃତିକ ଏତିହ୍ୟକୁ ମଧ୍ୟ ଦର୍ଶାଉଛି । ଏହା ସ୍ଥାନୀୟ ବାସିନ୍ଦାଙ୍କ ସମେତ, ଶିଳ୍ପ ପ୍ରତିନିଧି, ସରକାରୀ ଅଧିକାରୀଙ୍କ ଆଗରେ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିବାକୁ ଏସ୍ଏଚ୍ଜିର ଆତ୍ମ ନିର୍ଭର, ସ୍ୱରଗାରକ୍ଷମ ମହିଳାଙ୍କୁ ସୁଯୋଗ ପ୍ରଦାନ କରୁଛି । ବିଶେଷକରି ଏହି ପ୍ରଦର୍ଶନୀ ଖଣି ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କ ପରିପୂରକ ବିକାଶ ହାସଲ ଲାଗି ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରି ସାମଗ୍ରିକ ବିକାଶ ହାସଲ ସହିତ ଦୀର୍ଘ ମିଆଦି ସକରାତ୍ମକ ପରିବର୍ତ୍ତନ ଲାଗି ଖଣିଜ ମନ୍ତ୍ରଣାଳୟର ପ୍ରତିବଦ୍ଧତାକୁ ଦର୍ଶାଉଛି ।