jayashree

କେବଳ ହାତ ଚିହ୍ନ ହିଁ ବଲାଙ୍ଗିରର ବିକାଶ କରିଛି : ସମରେନ୍ଦ୍ର

  • ୨୪ ବର୍ଷ ଶାସନରେ ବଲାଙ୍ଗିରର ପରିଚୟ ହେଉଛି ଦାଦନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେବଳ ହାତ ଚିହ୍ନ ହିଁ ବଲାଙ୍ଗିରର ବିକାଶ କରିଛି ବୋଲି କହିଛନ୍ତି ସମରେନ୍ଦ୍ର ମିଶ୍ର । ‘ଆପଣମାନେ ଖୁସି ତ’ ସ୍ଲୋଗାନରେ ଗରିବଙ୍କ ଦୁଃଖ ଯାଉନାହିଁ । ଛାତ୍ରକୁ ଶିକ୍ଷକ ମିଳୁନାହିଁ । ଯୁବକଙ୍କୁ ରୋଜଗାର ମିଳୁନାହିଁ । ହସ୍‌ପିଟାଲ୍‌କୁ ଡାକ୍ତର ମିଳୁନାହିଁ ବରଂ ଏହା ଆମ ଅଂଚଳର ଲୋକଙ୍କୁ ତାଛଲ୍ୟ କରାଯାଉଛି । କାରଣ ଦୀର୍ଘ ୨୪ ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଂଚଳର ଛାତ୍ର, ଯୁବକ, କୃଷକ, ଶ୍ରମିକ ଏବଂ ମହିଳାଙ୍କ ଆର୍ଥିକ ବିକାଶ କରିବା ପରିବର୍ତ୍ତେ ଲଲିପପ୍‌ ଭଳି କିଛି ଯୋଜନା ମାଧ୍ୟମରେ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଚେଷ୍ଟା କରୁଛନ୍ତି । ଯଦି ଗତ ୨୪ ବର୍ଷରେ ଶିକ୍ଷା ଓ ରୋଜଗାର କ୍ଷେତ୍ରରେ କିଛି କାମ କରିଥାନ୍ତେ, ତେବେ ଆମ ସହରର ଯୁବକ ଆଜି ଗୁରୁରାଟ, ତେଲେଙ୍ଗାନା, ତାମିଲନାଡୁ ଭଳି ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁନଥାନ୍ତେ । ଏପରି ପରିସ୍ଥିତିରେ ମୁଁ ତ ନିଶ୍ଚିତ ଭାବେ କହିବି ଗତ ୨୪ ବର୍ଷ ଶାସନ କାଳରେ ଆମ ପରିଚୟ ହେଉଛିି ‘ଦାଦନ’ । ତେଣୁ ଆଗାମୀ ୨୦ ତାରିଖରେ ଦାଦନ ନାମରେ ପରିଚୟ ଦେଇଥିବା ବିଜେଡି ନେତାଙ୍କୁ ପ୍ରତ୍ୟାକ୍ଷାନ କରି କଂଗ୍ରେସର ହାତ ଚିହ୍ନରେ ଭୋଟ୍‌ ଦିଅନ୍ତୁ । କାରଣ ଆପଣମାନେ ବିଗତ ୧୦ ବର୍ଷରେ ପ୍ରମାଣ ପାଇପାରିଛନ୍ତି ଯେ, ବଲାଙ୍ଗିରର ବିକାଶ କେବଳ କଂଗ୍ରେସ ଦଳର ହାତ ଚିହ୍ନରେ ହିଁ ହୋଇଥାଏ ବୋଲି ଆଜି ଦେଓଗାଁ ବ୍ଲକ ହାତୀସରା, ଦେଓଗାଁ ଏବଂ ଜରାସିଂହା ପଂଚାୟତରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସମରେନ୍ଦ୍ର ନିଜ ବକ୍ତବ୍ୟରେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୧୦ ବର୍ଷରେ ଏ ଅଂଚଳର ଶିକ୍ଷା କ୍ଷେତ୍ରରେ ଉପରଝର ଓ ରାମଚନ୍ଦ୍ରପୁରରେ ମହିଳା କଲେଜ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଓଗାଁ ଡାକ୍ତରଖାନାର ଉନ୍ନତିକରଣ, ଗମନାଗମନ ପାଇଁ ଉନ୍ନତମାନର ରାସ୍ତା ଓ ପର୍ଯ୍ୟଟନ କ୍ଷେତ୍ର ଭିମଡୁଙ୍ଗୁରିରେ ଅନେକ ବିକାଶ କରି ଦେଓଗାଁର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଯାଇପାରିଛି । ଏଣୁ ଏହି ପ୍ରକ୍ରିୟାକୁ ଜାରି ରଖିବା ପାଇଁ ଉଭୟ କଂଗ୍ରେସ ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ । ଜନ ଆଶୀର୍ବାଦ ସଭାରେ ଉପସ୍ଥିତ କଂଗ୍ରେସ ଦଳର ଷ୍ଟାର୍‌ ପ୍ରଚାରକ ତଥା ବିଧାୟକ ନରସିଂହ ମିଶ୍ର ଭୁଲ ଲୋକଙ୍କ ହାତରେ କ୍ଷମତା ରହିଲେ ବଲାଙ୍ଗିର ପୁଣି ୨୪ ବର୍ଷ ତଳକୁ ଫେରିଯିବ ବୋଲି କହିବା ସହ କଂଗ୍ରେସ ଦଳ ତରଫରୁ ଦିଆଯାଇଥିବା ଗ୍ୟାରେଣ୍ଟି ଉପରେ ଅବଗତ କରାଇଥିଲେ । ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ, ଯଦି କଂଗ୍ରେସ ସରକାରକୁ ଆସେ ତେବେ ଗୃହ ଜ୍ୟୋତି ଯୋଜନାରେ ଘରେଇ ଉପଭୋକ୍ତଙ୍କ ପାଇଁ ୨୦୦ ୟୁନିଟ୍‌ ବିଦ୍ୟୁତ ଦେୟ ମାଗଣା, ଯୁବ ବିକାଶ ଯୋଜନାରେ ପ୍ରତ୍ୟେକ ବର୍ଷ ୫ ଲକ୍ଷ ଯୁବକ ଯୁବତିଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, କୃଷକମାନଙ୍କ ପାଇଁ ବୋନସ୍‌ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ, କୃଷକମାନଙ୍କ ପାଇଁ ୨ ହଜାର ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟଙ୍କ ଋଣ ଛାଡ ଓ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ହଜାର ଟଙ୍କା ଭତ୍ତା, ଆଦିବାସୀ ଓ ଦଳିତ ମହିଳା ୩ ହଜାର ଟଙ୍କା ଭତ୍ତା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା ସହ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାଦ୍ଧକ୍ୟ ବିକଳାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ପ୍ରଦାନ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏବଂ ୧୦୦ ଦିନ ଭିତରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.