ରାଉରକେଲା ବିମାନ ଯାତ୍ରୀ ହନ୍ତସନ୍ତ ବିକାଶ ମଞ୍ଚର ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତକାଲି ହଠାତ ଶେଷ ମୁହୂର୍ତ୍ତରେ ରାଉରକେଲା – ଭୁବନେଶ୍ୱର ଓ କଲିକତାକୁ ଚଳାଚଳ କରୁଥିବା ଏଲାଇନ୍ସ ଏଆର୍‌ଲାଇନ୍ସର୍‌ ବିମାନରେ ଯାନ୍ତ୍ରିକ ତ୍ରୁଟି ଘୋଷଣା କରି ଏଆର୍‌ଲାଇନ୍ସ କର୍ତ୍ତୃପକ୍ଷ ଚୁପ୍‌ ହୋଇ ବସିଯିବାରୁ ବିମାନରେ ଯାତ୍ରା କରିବାକୁ ଥିବା ଶହଶହ ଯାତ୍ରୀ ହଇରାଣ ହେବା ସହ ଭବିଷ୍ୟତରେ ଏଇ ବିମାନରେ ଯାତ୍ରା କରିବାକୁ ଭରସା କରି ପାରୁନାହାନ୍ତି । ୧୯୬୦ ମସିହାରୁ ଆରମ୍ଭ ହୋଇଥିବା ରାଉରକେଲା ଏଆର୍‌ଷ୍ଟ୍ରିପ୍‌କୁ ରାଉରକେଲା ବିକାଶ ମଞ୍ଚ ଶହ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ମାନଙ୍କର ପ୍ରବଳ ଦାବି ଫଳରେ ୨୦୨୩ ମସିହାରେ ହୋଇଥିବା ହକି ବିଶ୍ୱକପ୍‌ ପୂର୍ବରୁ ଅର୍ଥାତ୍‌ ୨୩ ଜାନୁଆରୀ ମାସରୁ ଏଆର୍‌ଷ୍ଟ୍ରିପ୍‌କୁ ଉନ୍ନୀତ କରାଇ ବିମାନ ବନ୍ଦରରେ ପରିଣତ କରାଗଲା । ସେତେବେଳେ ରାଉରକେଲା – ଭୁବନେଶ୍ୱରକୁ ବାସ୍ତରୀ ସିଟ୍‌ ବିଶିଷ୍ଟ ବିମାନ ସେବା ଆରମ୍ଭ କରାଯାଇ ପରେ କଲିକତାକୁ ମଧ୍ୟ ଯୋଡ଼ାଗଲା । ବିଡମ୍ବନାର ବିଷୟ ଏଲାଇନ୍ସ ଏଆର୍‌ଲାଇନ୍ସ ପାଖରେ ଅଳ୍ପ କେତେଖଣ୍ଡ ପୁରୁଣା କାଳିଆ ବିମାନ ଥାଇ ମଧ୍ୟ ତାହାକୁ ତିନିବର୍ଷ ପାଇଁ ବିମାନ ଚଳେଇବାର ଅନୁମତି ପ୍ରଦାନ କରାଗଲା । କିନ୍ତୁ ବିମାନ ସେବା ଆରମ୍ଭ ଦିନଠାରୁ ଅର୍ଥାତ ୧୭ ମାସ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଓ ବିଭିନ୍ନ ଆଳ ଦେଖାଇ ଶହେ ଦିନରୁ ଅଧିକ ସମୟରେ ବିମାନ ବାତିଲ କରାଯାଇ ବିମାନ ଯାତ୍ରୀଙ୍କୁ ମାନସିକ ଓ ଶାରୀରିକ ଯାତନା ଦିଆଗଲା । ନିକଟରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନକୁ ଯାନ୍ତ୍ରିକ ତ୍ରୁଟିର ଆଳରେ କଲିକତା ନିଆଗଲା କିନ୍ତୁ ଏଆର୍‌ଲାଇନ୍ସ ତରଫରୁ ଯାତ୍ରୀମାନଙ୍କର ଅନ୍ୟକିଛି ବ୍ୟବସ୍ଥା ନକରିବାରୁ ଯାତ୍ରୀମାନେ ନିଜ ନିଜର ବ୍ୟବସ୍ଥା ଅନୁସାରେ ତାର ପରଦିନ ରାଉରକେଲା ଫେରିଲେ । ଏଇଭଳି ବିମାନଯାତ୍ରୀ ଟିକଟ୍‌ କାଟି ଅନିଶ୍ଚିତତା ଭିତରେ ବିମାନଯାତ୍ରା କରୁଛନ୍ତି । ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତା, ମନ୍ତ୍ରୀମାନେ ବିମାନର ସେବା ନେଇ ନିର୍ବାଚନ ପ୍ରଚାର କରୁଛନ୍ତି, ଆଗାମୀ ଦିନରେ ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କର ରାଉରକେଲା ଆସିବାର ଅଛି । ବିମାନ ବନ୍ଦରକୁ ୪ଟିକୁ ଉନ୍ନତିକରଣ ସହ ଦିନରାତି ନିୟମିତ ବିମାନ ସେବା ପ୍ରଦାନ କରିବା ସହ ରାଉରକେଲା ଠାରେ ଏକ ନୂଆ ରେଳବାଇ ଡିଭିଜନ୍‌ ପ୍ରତିଷ୍ଠା କରିବା ଓ ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଆଦି ପାଇଁ ରାଉରକେଲା ବିକାଶ ମଞ୍ଚ ସହ ଅନ୍ୟାନ୍ୟ ଅନୁଷ୍ଠାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗକୁ ଅନୁରୋଧ କରିଆସୁଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଆଗକୁ ନିର୍ବାଚନ ଆସୁଥିଲେ ମଧ୍ୟ ବିଭିନ୍ନ ରାଜନୈତିକ ଦଳଙ୍କ ଏହି ସବୁ ଦାବି ପ୍ରତି ଉଦାସୀନତା ପରିଲକ୍ଷିତ ହେଉଛି, ଯାହାଫଳରେ ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ସହରର ବିକାଶ ପ୍ରତି ସାଧାରଣ ଜନତା ସନ୍ଦିହାନ ହୋଇଗଲେଣି । ଏଇ ପରିପ୍ରେକ୍ଷୀରେ ବିକାଶ ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ସହ ବରିଷ୍ଠ ଉପଦେଷ୍ଟା ଅଭୟ କୁମାର ଦାସ, ଅମୂଲ୍ୟ ବରାଳ, ପଶୁପତି ଚାଟାର୍ଜି, ସଂଜୀବ ମହାନ୍ତି, ଆର୍ତ୍ତ ମହାରଣା, ସୁପ୍ରତିକ ମିଶ୍ର, କୁଞ୍ଜ ବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ଉତ୍ତମ କୁମାର ସାମଲ ସହ ଅନ୍ୟମାନେ ଉଦ୍‌ବେଗ ପ୍ରକାଶ କରିବା ସହ ରାଉରକେଲାବାସୀ ଏହିସବୁ ଦିଗରେ ଧ୍ୟାନ ଦେଇ ଉଚିତ୍‌ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.