jayashree

ନରସିଂହଙ୍କ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ହେବ – ସମରେନ୍ଦ୍ର

  • ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଫମ୍ପା ପ୍ରତିଶୃତିରେ ଲୋକେ ଭୋଟ ଦେବେ ନାହିଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋକେ ବଲାଙ୍ଗିରର ବିକାଶ ସପକ୍ଷରେ କଂଗ୍ରେସ ଦଳର ହାତଚିହ୍ନରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ ବୋଲି ସମରେନ୍ଦ୍ର କହିଛନ୍ତି । ଉଭୟ ବିଜେଡି ବିଜେପି ଦଳକୁ ବଲାଙ୍ଗିରରେ ହାରିବା ଭୟ ଘାରିଲାଣି । କେତେବେଳେ ମୁଖ୍ୟମନ୍ତ୍ରୀ ତ କେତେବେଳେ ପ୍ରଧାନମନ୍ତ୍ରୀ ଆମ ଅଂଚଳକୁ ଆସି ସରଳ, ନୀରିହ ବଲାଙ୍ଗିରବାସୀଙ୍କୁ ମିଛ ପ୍ରତିଶୃତି ଦେବା ସହ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ନାଁରେ ଭୋଟ ଦେବା ପାଇଁ କହୁଛନ୍ତି । କିନ୍ତୁ ସେ ଉଭୟ ଦଳ ଜାଣିବା ଦରକାର ଯେ, ଆମ ଅଂଚଳରେ ଲୋକେ ଦୁଇ ଦୁଇ ଥର ଉଭୟ ଦଳକୁ ପ୍ରତ୍ୟାଖାନ କରିସାରିଲେଣି । ଆମ ପ୍ରିୟ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରତିଶୃତି ଓ ବିକାଶମୂଳକ କାର୍ଯ୍ୟରେ ଲୋକଙ୍କ ଅଖଣ୍ଡ ବିଶ୍ୱାସ ଅଛି । ତେଣୁ ବଲାଙ୍ଗିର ଲୋକେ ବଲାଙ୍ଗିରର ବିକାଶ ସପକ୍ଷରେ କଂଗ୍ରେସ ଦଳର ହାତଚିହ୍ନରେ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରାଇବେ ବୋଲି ଆଜି ବଲାଙ୍ଗିର ବ୍ଲକ ସ୍ଥିତ କଂକରା, କର୍ଲାପିଟା, ସିଆଲବାହାଲି ଓ ବାନ୍ଧନଘୋର ଠାରେ ଆୟୋଜିତ ଜନ ଆଶିର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ଏହି ସଭାମାନଙ୍କରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଦେଇଥିବା ପ୍ରତିଶୃତି ଆଜି ପର୍ଯ୍ୟନ୍ତ ପାଳନ କରିନାହାନ୍ତି । ଉଭୟେ ଆମ ଅଂଚଳ ଲୋକଙ୍କୁ ଭକୁଆ ଭାବୁଛନ୍ତି । ସେମାନେ ଜାଣି ରଖିବା ଦରକାର ଯେ ଆମ ଯୁବକଙ୍କୁ ରୋଜଗାର ପ୍ରତିଶୃତି ଦେଇ ମିଛ କହିଥିବା ପ୍ରଧାନମନ୍ତ୍ରୀ ଓ ଆମ ଅଂଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଗାମୀ ନିର୍ବାଚନରେ ଏ ଅଂଚଳର ଛାତ୍ର, ଯୁବକ, କୃଷକ, ଶ୍ରମିକ ଓ ମହିଳାମାନେ କେବେ ବି କ୍ଷମା କରିବେ ନାହିଁ । ଲୋକେ ତାଙ୍କ ବହୁମୂଲ୍ୟ ଭୋଟ ମାଧ୍ୟମରେ ଏମାନଙ୍କୁ ଉଚିତ ଜବାବ ଦେବେ ବୋଲି ସମରେନ୍ଦ୍ର କହିଛନ୍ତି । ଠିକ୍‌ ସେହିପରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି କଂକରା, ଖର୍ଲିକାନି ଓ ଲୁଚକିବନ୍ଧ ଗାଁ ଠାରେ ଆୟୋଜିତ ନିର୍ବାଚନୀ ସଭାମାନଙ୍କରେ ଲୋକଙ୍କୁ କଂଗ୍ରେସ ଦଳ ତରଫରୁ ଦିଆ ଯାଇଥିବା ଗ୍ୟାରେଣ୍ଟି ଉପରେ ଅବଗତ କରାଇଥିଲେ । ବିଧାୟକ ଶ୍ରୀ ମିଶ୍ର କହିଥିଲେ ଯେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଗୃହ ଜ୍ୟୋତି ଯୋଜନାରେ ଘରେଇ ଉପଭୋକ୍ତଙ୍କ ପାଇଁ ୨୦୦ ୟୁନିଟ ବିଦ୍ୟୁତ ଦେୟ ମାଗଣା, ଯୁବ ବିକାଶ ଯୋଜନାରେ ପ୍ରତ୍ୟେକ ବର୍ଷ ୫ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା, ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା, କୃଷକମାନଙ୍କ ପାଇଁ ବୋନସ ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩ ହଜାର ଟଙ୍କା, କୃଷିଋଣ ଛାଡ, କୃଷକମାନଙ୍କ ପାଇଁ ୨ହଜାର ଟଙ୍କା ପେନ୍‌ସନ୍‌ ବ୍ୟବସ୍ଥା, ଗୃହଲକ୍ଷ୍ମୀ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ ଓ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨ ହଜାର ଟଙ୍କା ଭତ୍ତା, ଆଦିବାସୀ ଓ ଦଳିତ ମହିଳା ୩ ହଜାର ଟଙ୍କା ଭତ୍ତା, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ବ୍ୟବସ୍ଥା ସହ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମାଧ୍ୟମରେ ମାଗଣା ଚିକିତ୍ସା, ବାଦ୍ଧକ୍ୟ ବିକଳାଙ୍ଗ ଭତ୍ତା ମାସିକ ୨ ହଜାର ଟଙ୍କା ପ୍ରଦାନ, ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଏବଂ ୧୦୦ ଦିନ ଭିତରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.