
ମୁରିବାହାଲ ବ୍ଲକ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ବ୍ଲକ
ବିକାଶ ମଞ୍ଚ ପକ୍ଷରୁ ବିଦ୍ୟୁତ୍ ଗ୍ରୀଡ୍ ଅଫିସ ଘେରାଉ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳରେ ପ୍ରତିଦିନ ଘନଘନ ବିଦ୍ୟୁତ୍ ବିଭ୍ରାଟ ତଥା ଅନ୍ୟାନ୍ୟ ଦାବୀ ପ୍ରତିବାଦରେ ସୋମବାର ବ୍ଲକର ଅଗ୍ରଣୀ ସଙ୍ଗଠନ ବ୍ଲକ ବିକାଶ ମଞ୍ଚଙ୍କ ନେତୃତ୍ୱରେ ବ୍ଲକ ଅଞ୍ଚଳର ଶତାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ ବିଦ୍ୟୁତ୍ ବିଭାଗ ଗ୍ରୀଡ ଅଫିସ ଘେରାଉ କରାଯାଇଥିଲା । ଏ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ୪ଦଫା ଦାବୀପତ୍ର ସ୍ଥାନୀୟ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ମହମ୍ମଦ ଜୁନୈଦଙ୍କୁ ପ୍ରଦାନ କରାଯାଇଥିଲା । ବ୍ଲକ ଅଞ୍ଚଳର ଶତାଧିକ ବିଦ୍ୟୁତ୍ ଉପଭୋକ୍ତାଙ୍କ ଦାବୀ ମୁତାବକ ଅଞ୍ଚଳରେ ପ୍ରତ୍ୟେହ ବିଦ୍ୟୁତ୍ କାଟ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ତଥା ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଥିବାରୁ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଥିବା ବେଳେ ବିଚରା ଚାଷୀଟିଏ କରିଥିବା କିଛି ଖରାଟିଆ ଫସଲ ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଉଛି । ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପ୍ରବଳ ଗ୍ରୀଷ୍ମରେ ସକାଳୁଆ ବିଭିନ୍ନ ଅଫିସ କାମ ପାଇଁ ଆସିଥିବା ଲୋକେ ହଇରାଣ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ଏଣୁ ପ୍ରତିଦିନ ହେଉଥିବା ବାରମ୍ବାର ବିଦ୍ୟୁତ୍ କାଟକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା, ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଲ ଆଦାୟ ବେଳେ ହଇରାଣ ଓ ଜୋରଜୁଲମ ସମ୍ପୁର୍ଣ୍ଣ ବନ୍ଦ କରାଯିବା, ଅସମୟ ବିଦ୍ୟୁତ୍ କାଟ୍ ବେଳେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଫୋନ୍ ଉଠାଇବା ସହ ଭଲ ବ୍ୟବହାର ପ୍ରଦର୍ଶନ କରିବା ତଥା ମନଇଚ୍ଛା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଲ ଆସିବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ପାଇଁ ବିଦ୍ୟୁତ୍ ଉପଭୋକ୍ତାଙ୍କ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । ଦାବିପତ୍ର ଗ୍ରହଣ କରି କନିଷ୍ଠ ଯନ୍ତ୍ରୀ ଜୁନୈଦ୍ ବିଦ୍ୟୁତ୍ ବିଭ୍ରାଟ ସମସ୍ୟାର ସବୁଦିନିଆ ସମାଧାନ ପାଇଁ ଚେଷ୍ଟା ଜାରି ରହିଛି, କେତେକ ସ୍ଥାନରେ ବିଦ୍ୟୁତ୍ କାମ ଚାଲିଥିବା ବେଳେ ଅଦିନିଆ କାଳ ବୈଶାଖୀ ଯୋଗୁଁ ଗଛ, ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ସାମୟିକ ଦେଖାଦେଉଥିବା ବିଦ୍ୟୁତ୍ ବିଭ୍ରାଟ ସମାଧାନ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ବ୍ଲକ ବିକାଶ ମଞ୍ଚ ସଭାପତି ଫାଲଗୁନୀ ହାତୀ, ସମ୍ପାଦକ ଅମରେଶ ମାଝୀ, କୋଷାଧ୍ୟକ୍ଷ ହରିଦାସ ତାଣ୍ଡି, ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଜିଲ୍ଲା ସଭାପତି ଜୟନ୍ତ କୁମାର ସାହୁ, ବ୍ଲକ ଭୀମ ଆର୍ମି ସଭାପତି ସୁରେନ୍ଦ୍ର ଛୁରା, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣାଙ୍କ ସହ, ଛବିରାମ ଦାସ, ସୁରେଶ ସାହୁ, ମଦନ ଥାଟି, ଦ୍ୱାରି ତାଣ୍ଡି, ସନ୍ତୋଷ ପୃଷ୍ଟି, ରବି ବାଗ, କୈଳାସ ମହାକୁର, ଚୂଡ଼ାମଣି ବାଗ, ନାଭ ମହାକୁର, ପଦ୍ମଲୋଚନ ସାହୁ, ବାଳଗୋପାଳ ବଘାର, ତପୁ ସାହୁ ଓ ଦକ୍ଷପ୍ରଜାପତି ବାଗଙ୍କ ଶତାଧିକ ବିଦ୍ୟୁତ୍ ଉପଭୋକ୍ତା ଉପସ୍ଥିତ ରହି ବିଦ୍ୟୁତ୍ ଗ୍ରୀଡ ଘେରାଉରେ ସାମିଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୁରିବାହାଲ ଥାନା ପୁଲିସ ଉପସ୍ଥିତ ଥିଲେ ।