ଝାରବନ୍ଧ ବ୍ଲକର ବିକଳ ଚିତ୍ର : ସୌର ବିଜୁଳି ଭରଷାରେ ଚାଲିଛି ବିଭିନ୍ନ କାର୍ଯ୍ୟାଳୟ, ଦୈନିକ ସର୍ବାଧିକ ୬ ଘଣ୍ଟା ବିଜୁଳି ପାଇ ଖରାରେ ସିଝୁଛନ୍ତି ଝାରବନ୍ଧବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକ ଓଡ଼ିଶାର ଏକ ଉପାନ୍ତ ଅଞ୍ଚଳ ଭାବରେ ବେଶ ଜଣାଶୁଣା । ଏଠାରେ ଲୋକମାନେ ବିଭିନ୍ନ ପ୍ରକାରର ଶୋଷଣ, ଅନ୍ୟାୟ ତଥା ଅତ୍ୟାଚାରର ଶିକାର ହୋଇ ଆସୁଛନ୍ତି ଯାହାକି ଗ୍ରୀଷ୍ମଋତୁରେ ସୀମା ଉଲ୍ଲଂଘନ କରିଯାଇଛି । ଅଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ-ଭୋଲ୍ଟେଜ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ସ୍ଥାନୀୟ ଅଧିବାସୀ । ଗ୍ରାମବାସୀଙ୍କ କହିବା ଅନୁସାରେ ଦୈନିକ ୨୪ ଘଣ୍ଟାରୁ ହାରାହାରି ଭାବେ କେବଳ ୬ ଘଣ୍ଟା ହିଁ ବିଜୁଳି ରହୁଛି ଯାହାକି ୧୦୦-୧୨୦ ଭୋଲ୍ଟ ଯେଉଁଥିରେ ଲୋକମାନେ ଭଲଭାବରେ ପଙ୍ଖା ଟିକିଏ ଚଲାଇବା ପାଇଁ ମଧ୍ୟ ସକ୍ଷମ ହୋଇପାରୁ ନାହାନ୍ତି । ଧନୀକ ଶ୍ରେଣୀର ଲୋକେ ଇନ୍‌ଭଟର ରଖିଥିବା ସ୍ଥଳେ ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ବିଜୁଳି ହିଁ ଏକମାତ୍ର ଭରଷା । ଜଣେ ଉପଭୋକ୍ତାଙ୍କ କହିବା ଅନୁଯାୟୀ ଇନ୍‌ଭଟର ଥାଇ ସୁଦ୍ଧା ଲୋ-ଭୋଲ୍ଟେଜ ଏବଂ କମ ସମୟ ବିଜୁଳି ରହୁଥିବା ଯୋଗୁଁ ରାତି ୩ ଟା ପରେ ଘରେ ଶୋଇନପାରି ଚେଇଁବାକୁ ପଡ଼ୁଛି । ଆଗାମୀ ଦିନମାନଙ୍କରେ ମ୍ୟାଟ୍ରିକ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବା କଥା କିନ୍ତୁ ଅଘୋଷିତ ବିଦ୍ୟୁତ କାଟ ଏବଂ କମ ଭୋଲ୍ଟେଜ ତାଙ୍କ ଭବିଷ୍ୟତକୁ ଅନ୍ଧାର ଆଡ଼କୁ ଟାଣିନେଉଛି ବୋଲି ମତ ପ୍ରକାଶ ପାଉଛି । ଏତିକିରେ ସମସ୍ୟା ସରୁନାହିଁ ଝାରବନ୍ଧ ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ ଲୋ-ଭୋଲ୍ଟେଜ ସମସ୍ୟା ପାଇଁ ଅଫିସ କାମ ହୋଇପାରୁନଥିବାରୁ ସୌର ବିଜୁଳି ଉପରେ ନିର୍ଭର କରୁଛନ୍ତି । ଯଦି ସରକାରୀ କଳ ଏତେ ଅସହାୟ ତେବେ ସାଧାରଣ ଜନତା କିଭଳି କଷ୍ଟ ଭୋଗୁଥିବେ ତାହା ସହଜରେ ଅନୁମେୟ ବୋଲି ମତ ପ୍ରକାଶ ପାଉଛି । ଯଦି ରାଜ୍ୟ ସରକାର ଝାରବନ୍ଧ ବ୍ଲକକୁ ନିଜର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ବିଚାର କରୁଛନ୍ତି ତେବେ ଦୀର୍ଘଦିନ ଧରି ଅବହେଳିତ ହୋଇଥିବା ଝାରବନ୍ଧ ବ୍ଲକର ବିଜୁଳି ଜନିତ ଲୋ-ଭୋଲ୍ଟେଜ ସମସ୍ୟାର ସମାଧାନ କରନ୍ତୁ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.