୬ମାସ ନ ପୁରୁଣୁ ବିଜୁ ସେତୁ ରାସ୍ତାରେ ଦେଖା ଦେଲାଣି ଫାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗାଁ ମାନଙ୍କୁ ସହରର ମୁଖ୍ୟ ସ୍ରୋତ ସହ ଯୋଡିବା ପାଇଁ ତଥା ଉଚିତ ଶିକ୍ଷା ସ୍ୱାସ୍ଥ୍ୟ ଗମନା ଗମନର ସୁବିଧା ପାଇଁ ବିଭିନ୍ନ ଯୋଜନା ଅନ୍ତର୍ଭୁକ୍ତ ରାସ୍ତା, ସେତୁ ଆଦି ନିର୍ମାଣ କରୁଛନ୍ତି । ହେଲେ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଛନ୍ତି ଠିକା କମ୍ପାନୀ । ପଦ୍ମପୁର ଉପଖଣ୍ଡ ଭେଉଁରିଆ ପଂଚାୟତ ଅନ୍ତର୍ଗତ ଦେଉଳି ଠାରୁ ନାଗେନମାଲ ଯାଏଁ ଅଙ୍ଗ ନଦୀ ଉପରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ଯାତାୟତର ସୁବିଧା ପାଇଁ ଏକ ପୋଲ ନିର୍ମାଣ କରାଯାଇଥିଲା । ପ୍ରାୟ ସାଢେ ଦଶ କୋଟିର ବ୍ୟୟ ବରାଦରେ ନିର୍ମିତ ଏହି ପୋଲ ବହୁ ଦିନରୁ ଅଂଚଳବାସୀଙ୍କର ସ୍ୱପ୍ନ ଥିଲା । ନାଗେନମାଲ, ଚାରପାଲି, ଭାଲୁକନା, ଲମରଜୁନା, ଜାମଖେର, ଖେମେଡଖେର ପରି ଆଖପାଖର ବହୁ ଗ୍ରାମକୁ ଦେଉଳି ଦେଇ ପଦ୍ମପୁର ମୁଖ୍ୟ ରାସ୍ତା ସହ ଯୋଡିବ ବୋଲି ଏହି ପୋଲ ନିର୍ମାଣ ଆରମ୍ଭ ପରେ ଗମନା ଗମନକୁ ନେଇ ଆସ୍ୱସ୍ଥ ଥିଲେ ଅଂଚଳବାସୀ । ଅଙ୍ଗ ନଦୀ ଉପରେ ନିର୍ମିତ ପ୍ରାୟ ୨୪୫ ମିଟର ଲମ୍ବା ଥିବା ଏହି ପୋଲ କାମ ୨୦୧୮ରେ ଆରମ୍ବ ହୋଇ ଗତ ୨୦୨୦ ଅକ୍ଟୋବର ମାସରେ ଶେଷ ହୋଇଥିବା କାର୍ଯ୍ୟ ଫଳକରେ ଦର୍ଷା ଯାଇଥିବା ବେଳେ କାର୍ଯ୍ୟ ଶେଷର ୬ ମାସ ନ ପୁରୁଣୁ ପୋଲ ଗାର୍ଡୱଲ ଉପରେ ଥିବା ରାସ୍ତାରେ ଫାଟ ଦେଖା ଦେଲାଣି । ଅନ୍ୟପଟେ ରାସ୍ତା କଡରେ ସୁରକ୍ଷା ପାଇଁ ଦିଆଯାଇଥିବା ପିଲର ଗୁଡିକର ଅବସ୍ଥା ଅତି ଶୋଚନୀୟ, ହାତରେ ଛୁଇଁଲେ ପିଲର କେବଳ ଯେ ହଲୁଛି ତାହା ନୁହଁ ବରଂ ଭାଙ୍ଗି ଯିବାର ମଧ୍ୟ ଭୟ ଅଛି । ଆଉ କେବଳ ଗୋଟିଏ କି ଦୁଇଟି ନୁହଁ ବରଂ ସବୁ ପିଲରରେ ସମାନ ଅବସ୍ଥା । ଗାର୍ଡୱାଲ ଗୁଡିକରେ ମଧ୍ୟ ଠିକ ଭାବରେ ପଥର ପେକିଂ ହୋଇ ନଥିବାରୁ ମାଟି ବର୍ଷା ପାଣିରେ ବୋହିବାରେ ଲାଗିଛି । ଅନ୍ୟପଟେ ନିଜର ଏହି ସ୍ୱପ୍ନର ପୋଲକୁ ଚାହିଁ ବସିଥିବା ଅଂଚଳବାସୀ ବର୍ତ୍ତମାନ ଏହି ପୋଲ ଉପରେ ଯିବାକୁ ଭୟ ପ୍ରକାଶ କରୁଛନ୍ତି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲର ଅବସ୍ଥା ଦେଖିଲା ବେଳକୁ ସରକାରଙ୍କ ମୋ ଗାଁ ମୋ ବିକାଶ ପରି ସ୍ଲୋଗାନ ବର୍ତ୍ତମାନ ଏକ ଉପହାସ ଛଡା ଆଉକିଛି ନୁହଁ ବୋଲି ଜଣା ପଡୁଥିବା ବେଳେ ରାଜ୍ୟ ସରକାର ବିଜୁ ବାବୁଙ୍କ ନାଁ ର ର୍ଦୁଉପୟୋଗ କରିବା ସହ ବିଜୁବାବୁଙ୍କର ନିର୍ମଳ ପ୍ରତିଛବିକୁ ଏପରି କାର୍ଯ୍ୟ କରି ମଳିନ କରୁଛନ୍ତି ଏବଂ ଜନ ସାଧାରଣଙ୍କ ସୁରକ୍ଷା ନ ଦେଖି ନିଜର ପିସି ନେଇ କାର୍ଯ୍ୟ ତଦାରଖ ନକରି ଆଖିବୁଜି ବିଲ ପାସ କରି ଚୁପ ବସୁଥିବା ଅଧିକାରୀ ମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ହିଁ ଦାୟୀ ବୋଲି ସ୍ଥାନୀୟ ବିଜେପି ନେତା ତଥା ବରଗଡ ସାଂସଦଙ୍କ ପ୍ରତିନିଧି ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯେ, କାର୍ଯ୍ୟ କରିଥିବା ଠିକା କମ୍ପାନୀକୁ ଶୀଘ୍ର ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଯଥା ଶୀଘ୍ର ସମ୍ଭବ କାର୍ଯ୍ୟ ସମାପ୍ତ ହେବ ।

Leave A Reply

Your email address will not be published.