ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ : ସୋନପୁର ରାମଧୂନ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିନ ଖେଳରେ ସୋନପୁର ରାମଧୂନ କ୍ଲବ ୩-୧ ଗୋଲରେ ରୋଭର୍ସ ଏଫ୍‌ସି ଭିଲେଇକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟ କମିଟି କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ତ୍ରିପାଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୁଝାରୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ସୋନପୁର ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ପ୍ରତିନିଧି ରଂଜନ ଠେଲା, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଡୁଙ୍ଗୁରିପାଲି ବ୍ଲକ ଉପାଧ୍ୟକ୍ଷ ମକରଧ୍ୱଜ ସାହୁ ଓ କ୍ରୀଡା ସଂସଦ ଯୁଗ୍ମ ସଂପାଦକ ଶତୃଘନ ସିଂ ଯୋଗଦେଇ ଖେଳାଳି ଓ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । ବଲାଙ୍ଗିର ବିଧାୟକ ତଥା ଟୁର୍ଣ୍ଣାମେଣ୍ଟ କମିଟି ସଭାପତି କଳିକେଶ ନାରାୟଣ ସିଂଦେଓ, ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, କମିଟି ଉପସଭାପତି ଶମ୍ଭୁ ପ୍ରସାଦ ନାଗ ଓ ସଂପାଦକ ସାଗର ସଂଗମ ଶତପଥି ମଂଚାସୀନ ଥିଲେ । ଖେଳକୁ ସୁବ୍ରତ ପୁରୋହିତ, ସଂଜୀବ କୁମାର ମହାରଣା, ସଂଜନ କୁମାର କୁଦେଇ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ଖେଳରେ ସୋନପୁର ଦଳର ଅଭୟ ମୁଣ୍ଡାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ ଭାବେ ଟ୍ରଫି ସହ ୨ ହଜାର ଟଙ୍କା ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ପୂର୍ବତନ ଖେଳାଳି ଲୋକନାଥ ନେପାକ ଓ ସୁରେନ୍ଦ୍ର ନାଗ (ସୋନୁ)ଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିବା ବେଳେ ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚ ସଂଚାଳନ କରିଥିଲେ । ଶୁକ୍ରବାର ଦିନ କଲିକତା ଏସ୍‌.ଡି ଇଲେଭନ ବନାମ ବରଗଡ ୟୁନାଇଟେଡ କ୍ଲବ ମଧ୍ୟରେ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.