ଆଦାନୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଆନ୍ତଃ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମ ସଂସ୍କରଣରେ କାଳୀପଲ୍ଲୀ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦରର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆନ୍ତଃଗ୍ରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ କାଳୀପଲ୍ଲୀ ପଞ୍ଚାୟତ ବିଜୟ ଲାଭ କରିଛି । କାଳୀପଲ୍ଲୀ ପଞ୍ଚାୟତସ୍ଥିତ ବନ୍ଦରଗାଁ ଖେଳ ପଡିଆଠାରେ ଆୟୋଜିତ ଆଜିର ଫାଇନାଲ ମ୍ୟାଚ୍ କାଳିପଲ୍ଲୀ ଓ ଏସଏମସିସି ହରିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କାଳୀପଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୪୪ ରନ କରିଥିବା ବେଳେ ଏହାର ଜବାବରେ ଏସଏମସିସି ହରିପୁର ୧୪ ଓଭରରେ ସମସ୍ତ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା । ଫଳରେ କାଳୀପଲ୍ଲୀ ୩୦ ରନରେ ବିଜୟ ଲାଭ କରି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟାଇଟଲ ହାସଲ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍‌ ଅଫ୍‌ ଦି ସିରିଜ ଏସଏମସିସି ହରିପୁର ଇଂ. ଶ୍ରୀନନୁ ହୋଇଥିଲା ବେଳେ କାଳୀପଲ୍ଲୀ ଟିମର ମହେଶ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ଉଦଯାପନୀ ମ୍ୟାଚରେ ଛତ୍ରପୁର ଉପ-ଜିଲ୍ଲାପାଳ ଶିବାଶିଷ ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ବିଜୟୀ ଟିମ୍‌ଙ୍କୁ ଟ୍ରଫ଼ି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ସମ୍ପର୍କ ମୁଖ୍ୟ ଭକ୍ତବନ୍ଧୁ ଶତପଥୀ ଓ ସିଏସଆର୍ ମୁଖ୍ୟ ଦେବଦତ୍ତ ମିଶ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ଯୁବପିଢି, ଛାତ୍ରଛାତ୍ରୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ମୋଟ ଛଅଗୋଟି ପଞ୍ଚାୟତ ଯଥା ଆର୍ଯ୍ୟପଲ୍ଲୀ, କଣମଣା, ଶ୍ରୀରାମଚନ୍ଦ୍ରପୁର, କାଳୀପଲ୍ଲୀ, ଚମାଖଣ୍ଡି ଓ ଅଗସ୍ତିନୂଆଗାଁର ମୋଟ ଆଠଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

Leave A Reply

Your email address will not be published.