ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ବୋଡାସମ୍ବର ଖେଳପଡିଆଠାରେ ବୋରାସମ୍ବର ସ୍ପୋଟିଙ୍ଗ ଦ୍ୱାରା ଆୟୋଜିତ ୨୮ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ର ଆଜି ଗ୍ରୁପ ‘ବି’ର ପ୍ରଥମ ଶ୍ରୀଲତା ଏକାଡେମୀ (ୱେଷ୍ଟ ବେଙ୍ଗଲ୍) ଓ ଗୁଲବର୍ଗା ସିଟି ଇଲେଭେନ୍ (କର୍ଣ୍ଣାଟକ) ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ୍ ଆରମ୍ଭରେ ପ୍ରଥମେ ଶ୍ରୀଲତା ଦଳ ଟସ୍ ଜିଣି ବେଟିଙ୍ଗ୍ କରି ନିର୍ଦ୍ଧାରିତ ୩୦ ଓଭରରେ ୯ ୱିକେଟ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ବ୍ରଜେଶ୍ୱର ଚତ୍ତରରାଜ ୪୭ ରନ୍ କରିଥିବା ବେଳେ ଆଦିତ୍ୟ ସିଂହ ୪୬ ରନ୍ କରିଥିଲେ । ଗୁଲବର୍ଗା ସିଟି ପକ୍ଷରୁ ନୀତିଶ ବନିକ୍ୟଲ ୩ଟି ୱିକେଟ ନେଇଥିଲେ । ୨୦୨ ରନ୍ର ଲକ୍ଷ୍ୟ ନେଇ ଗୁଲବର୍ଗା ଦଳ ୨୬.୫ ଓଭରରେ ୭ ଉଇକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କରି ୩ ୱିକେଟ୍ରେ ବିଜୟୀ ହୋଇଥିଲେ । ଦଳ ପକ୍ଷରୁ ସରୋଜା କେ. ପଣ୍ଡା ୪୭(୨୬)ରନ୍ ଓ ଅଭିଷେକ ଏସ୍କେ ୫୪(୪୧)ରନ୍ କରିଥିବା ବେଳେ ଶ୍ରୀଲାତ ଦଳ ପକ୍ଷରୁ ସୋହିଲ ଅନସାରୀ ୨ଟି ୱିକେଟ ନେଇଥିଲେ । ଆଜିର ପୁରସ୍କାର ବିତରଣୀ ଅବସରରେ ମୁଖ୍ୟ ଅତିଥି ଭାବରେ ବିଡିଓ ପଦ୍ମପୁର ଚନ୍ଦ୍ରମଣୀ ନାଗ ଯୋଗଦାନ ଦେଇ ମେନ୍ ଅଫ୍ ଦ ମ୍ୟାଚ୍ ଭାବରେ ଅଭିଷେକ ଏସ୍କେଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍କୁ ଆମ୍ପାୟାର୍ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱାମ୍ୱର ମହାକୁଡ ପରିଚାଳନା କରିଥିବାବେଳେ ସ୍କୋରର୍ ଅମରେଶ ବେହେରା, ରିଙ୍କୁ ବରିହା ଓ ଦିବ୍ୟ ପଣ୍ଡା, ରୋହିଣୀ ପାଣ୍ଡେ, ଏସ୍ ଜୟକିସନ, କୁମାର ଆନନ୍ଦ ପ୍ରମୁଖ ଧାରାବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ଗ୍ରୁପ ‘ବି’ର ଦ୍ୱିତୀୟ ମ୍ୟାଚ୍ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ଏବଂ ଗୁଲବର୍ଗା ସିଟି ଇଲେଭେନ୍ କର୍ଣ୍ଣାଟକ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।