ବେଟିଖାଇ ସେନ୍ଦ୍ରିଆ ଖପ୍ରାଖୋଲ ସରପଞ୍ଚ ଭାବେ ନିଦ୍ୱର୍ନ୍ଦରେ ବିଜୟୀ : ୩୯ ଜଣ ପ୍ରାର୍ଥୀ କଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକର ବିଭିନ୍ନ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୯ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଏଥି ସହିତ ଖପ୍ରାଖୋଲ ପଞ୍ଚାୟତର ସରପଞ୍ଚ ଭାବେ ବେଟିଖାଇ ସେନ୍ଦ୍ରିଆ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଖପ୍ରାଖୋଲ ବ୍ଲକର ୨୧ଟି ପଞ୍ଚାୟତ ପାଇଁ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ନିମନ୍ତେ ସମୁଦାୟ ୬୮୦ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସେମାନଙ୍କ ମଧ୍ୟରୁ ସରପଞ୍ଚ ପ୍ରାର୍ଥୀ ୧୧ ଜଣ, ସମିତିସଭ୍ୟ ପ୍ରାର୍ଥୀ ୧୧ଜଣ ଏବଂ ୱାର୍ଡସଭ୍ୟ ପ୍ରାର୍ଥୀ ୧୭ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ଖବର ମିଳିଛି । ଏବେ ସରପଞ୍ଚ ପାଇଁ ୧୨୦ ଜଣ, ସମିତିସଭ୍ୟ ପାଇଁ ୯୮ ଜଣ ଏବଂ ୱାର୍ଡସଭ୍ୟ ପାଇଁ ୪୨୩ ଜଣ ପ୍ରାର୍ଥୀଙ୍କ ସମେତ ସମୁଦାୟ ୬୪୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ପଞ୍ଚାୟତର ସରପଞ୍ଚ ଭାବେ ପ୍ରତିଦ୍ବନ୍ଦିତା କରୁଥିବା ତରୁଲତା ଭୋଇ ଏବଂ ବନିତା ତାଣ୍ଡି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଏକମାତ୍ର ପ୍ରାର୍ଥୀ ଭାବେ ବେଟିଖାଇ ସେନ୍ଦ୍ରିଆ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଖପ୍ରାଖୋଲ ସରପଞ୍ଚ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବେଟିଖାଇ ସେନ୍ଦ୍ରିଆ ଦଳିତ ଜାତିର ପ୍ରାର୍ଥୀ ଭାବେ ଅପ୍ରତିଦ୍ୱର୍ନ୍ଦୀ ହେବା ଘଟଣା ଖପ୍ରାଖୋଲ ରାଜନୀତିକୁ ସରଗରମ କରିଦେଇଛି । ଏଠାରେ ସୂଚନାଯୋଗ୍ୟ ଯେ, ବେଟିଖାଇ ସେନ୍ଦ୍ରିଆ ଖପ୍ରାଖୋଲ ଡାକ୍ତରଖାନାରେ ଏଲଏଚ୍‌ଭି ଭାବେ କାର୍ୟ୍ୟ କରି ଚାରିବର୍ଷ ତଳେ ଅବସର ଗ୍ରହଣ କରିଥିଲେ ତାଙ୍କର ଭାଇ ସତ୍ୟାନନ୍ଦ ସେନ୍ଦ୍ରିଆ ବିଜେପି ଦଳର ହୋଇଥିବା ବେଳେ ବିଜେପି ଦଳର ସମର୍ଥିତ ପ୍ରାର୍ଥୀ ଭାବେ ସେ ନିର୍ବାଚନ ଲଢୁଥିଲେ । ସରକାରୀ ଭାବେ ଏହା ଘୋଷଣା ହୋଇନଥିବା ବେଳେ ଖପ୍ରାଖୋଲ ଜନସାଧାରଣଙ୍କର ଏହା ବିଜୟ ଅଟେ ବୋଲି ଶ୍ରୀମତୀ ସେନ୍ଦ୍ରିଆ ପ୍ରକାଶ କରିଛନ୍ତି । ବିଜୟ ପରେ ପାଟଣାଗଡ଼ର ପୂର୍ବତନ ବିଧାୟକ କନକବର୍ଦ୍ଧନ ସିଂ ଦେଓ, ପୂର୍ବତନ ସରପଞ୍ଚ ନନ୍ଦୁ ବରିହା, ଜନାର୍ଦ୍ଦନ ସୁନା, ନାରାୟଣ ଦଣ୍ଡସେନା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.