ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ପ୍ରେସ୍ ବିଜ୍ଞପ୍ତି ଜାରି

ରାଉରକେଲା, (ସସ୍ମିତା ପ୍ରଧାନ) : ଝାଡ଼ଖଣ୍ଡ ଏକାଡେମୀକ କାଉନସିଲ୍ (ଜ୍ୟାକ) ଦ୍ୱାରା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପାଇଁ ଆହୁତ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ସଂସ୍କୃତ ସହିତ ବଙ୍ଗଳା ଓ ବିଭିନ୍ନ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଓଡ଼ିଆ ଭାଷାକୁ ରଖାଯାଇ ନାହିଁ । ଝାଡ଼ଖଣ୍ଡ ରାଜ୍ୟରେ ବିଶେଷ କରି କୋହ୍ଲାଣ ପ୍ରମଣ୍ଡଳର ତିନି ଗୋଟି ଜିଲ୍ଲା ପୂର୍ବ ଏବଂ ପଶ୍ଚିମ ସିଂହଭୂମି ତଥା ଷଢେଇକେଳା – ଖରସୁଆଁରେ ଓଡ଼ିଆ ସପ୍ସଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଝାଡ଼ଖଣ୍ଡ ସରକାରଙ୍କ ଏଭଳି ନିଷ୍ପତ୍ତିର ଅବିଭକ୍ତ ସିଂହଭୂମି ଜିଲ୍ଲାର ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ ଓ ପ୍ରତିକ୍ରିୟା ଆରମ୍ଭ ହୋଇଯାଇଛି । ଷଢେ଼ଇକେଳା – ଖରସୁଆଁ ଜିଲ୍ଲା ତରଫରୁ ଖରସୁଆଁ ବିଧାୟକ ଦଶରଥ ଗାଗରାଈଙ୍କୁ ଏକ ପ୍ରତନିଧି ଦଳ ଏହି ବିଷୟରେ ଏକ ଦାବୀପତ୍ର ଦେଇଛନ୍ତି । ଚକ୍ରଧରପୁର ନିକଟସ୍ଥ କେରା ଗ୍ରାମରେ ଏକ ସାଧାରଣ ସଭାରେ ଏବାବଦରେ ସରକାରଙ୍କ ଏହି ପଦକ୍ଷେପକୁ ଏକ ଓଡ଼ିଆ ମାରଣ ଷଡ଼ଯନ୍ତ୍ର ବୋଲି କୁହାଯାଇଛି । ଏହାର ତୀବ୍ର ବିରୋଧ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ଚକ୍ରଧରପୁର ଠାରେ ଉତ୍କଳମଣି ବିଦ୍ୟାମନ୍ଦିର ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିରାଟ ସାଧାରଣ ସଭାରେ ଚକ୍ରଧରପୁର ଏବଂ ବନ୍ଦଗାଁ ବ୍ଲକ ସହିତ କିଛି ଖରସୁଆଁ ବ୍ଲକର ବିଭିନ୍ନ ଗ୍ରାମର ପ୍ରତିନିଧି ମଣ୍ଡଳ ଭାଗ ନେଇଥିଲେ । ଉକ୍ତ ସଭାରେ ଉତ୍କଳ ସମ୍ମିଳନୀର ସରୋଜ ପ୍ରଧାନ କହିଲେ ଯେ, ବାରମ୍ବାର ଓଡ଼ିଆ ଭାଷାର ଉପେକ୍ଷା କରି ଝାଡ଼ଖଣ୍ଡ ସରକାର ଆମକୁ ଉଗ୍ର ଆନ୍ଦୋଳନ ପାଇଁ ବାଧ୍ୟ କରିଛନ୍ତି । ଆମର ସହିଷ୍ଣୁତାର ସୀମା ଅତିକ୍ରମ ହୋଇଛି, ତେଣୁ ଆମେ ଆଉ ଚୁପ୍ ରହିବା ସମ୍ଭବ ନୁହେଁ । ଓଡ଼ିଆ ଭାଷା ବିକାଶ ପରିଷଦର ଅଧ୍ୟକ୍ଷ ଡ଼. ନାଗେଶ୍ଵର ପ୍ରଧାନ କହିଲେ ଯେ, ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସମଗ୍ର ଓଡ଼ିଆ ସମାଜ ନିନ୍ଦା କରିଛନ୍ତି ଏବଂ ଆମ ମାତୃଭାଷା ଓଡ଼ିଆର ମାନ ସମ୍ମାନ ପାଇଁ ଆମକୁ ସଂଗଠିତ ଉଦ୍ୟମ କରିବା ଆବଶ୍ୟକ । ଓଡ଼ିଆ ଭାଷା ବିକାଶ ପରିଷଦର ଉପାଧ୍ୟକ୍ଷ ସତ୍ୟ ପ୍ରକାଶ କର କହିଛନ୍ତି କି, ଯେପର୍ଯ୍ୟନ୍ତ ଆମେ ଶୋଇରହିବା କେହି ଆମ କଥା ଶୁଣିବେ ନାହିଁ, ତେଣୁ ରେଳ ରାଜରାସ୍ତା ଦୋକାନ ବଜାର ବନ୍ଦ କଲେ ଆମର ଦାବୀ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବ । ଝାଡ଼ଖଣ୍ଡ ଅଳ୍ପ ସଂଖ୍ୟକ ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ କହିଲେ ଯେ, ଆମେ ସଂଗଠିତ ନଥିବାରୁ ଏମିତି ବିଭ୍ରାଟ କରିବା ପାଇଁ କେହି ସାହସ କରିଛି ଏବଂ ଯେ କୌଣସି ରାଜନୈତିକ ଦଳ ଓଡ଼ିଆ ଭାଷାକୁ ଉପେକ୍ଷା କରିବ ସେହି ଦଳକୁ ଆମେ ବହିଷ୍କାର କରିବାକୁ ପଛାଇବା ନାହିଁ । ଆସନ୍ତା ଚାରିପାଞ୍ଚ ଦିନ ଭିତରେ ଆମ ଅଞ୍ଚଳର ବିଭିନ୍ନ ଗ୍ରାମରେ ସଭା ସମିତି କରାଯାଇ ଆନ୍ଦୋଳନର ରୂପରେଖ ତିଆରି କରିବା । ଯେମିତି ହସ୍ତାକ୍ଷର ଅଭିଯାନ ସହିତ ଆନ୍ଦୋଳନରେ ତିନୋଟି ଜିଲ୍ଲା ମୁଖ୍ୟାଳୟରେ ଗଣଧାରଣା ପାଇଁ ଅତି କମ୍‌ରୁ ପାଞ୍ଚ ହଜାର ଲୋକ ସମ୍ମିଳିତ ହେବା । ଆମେ ଓଡ଼ିଆର ଶକ୍ତି ପ୍ରଦର୍ଶନ ଶାନ୍ତି ସହକାରେ କରି ସରକାରଙ୍କୁ ନିଷ୍ପତ୍ତି ବଦଳାଇବା ପାଇଁ ବାଧ୍ୟ କରିବା । ଉକ୍ତ ସଭାରେ ଉତ୍କଳ ସମ୍ମିଳନୀର ପଶ୍ଚିମ ସିଂହଭୂମି ଜିଲ୍ଲାର ସଭାପତି ପ୍ରଦିପ୍ତ ଦାଶ, ଉପସଭାପତି କାମାକ୍ଷା ପ୍ରସାଦ ସାହୁ, କେରା ରାଜ ପରିବାରର ଦୀପକ ସିଂହଦେବ, ରାଜୀବ ସିଂହଦେବ, କେଦାର ପ୍ରଧାନ, ଚିରଞ୍ଜିବୀ ପ୍ରଧାନ, ଅମ୍ବିକା ଚରଣ ଦୀକ୍ଷିତ ସହିତ ଶତାଧିକ ବୁଦ୍ଧିଜୀବୀ ନିଜର ସମର୍ଥନ ଓ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଉ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.