ବିଦ୍ୟୁତ୍‌ ଆଘାତରୁ ଅଳ୍ପକେ ବର୍ତିଲେ ବାପା ମାଆ ଛେଉଣ୍ଡ ନାବାଳକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ୱାର୍ଡ ନଂ. ୧୪ ଆଶ୍ରମପଡ଼ାର ଜଣେ ୧୦ ବର୍ଷର ବଙ୍କଳ ଫରେଷ୍ଟ ରେଂଜ ଅଫିସ ନିକଟରେ ଥିବା ଏକ ଲୁହା ଇଲେକ୍ଟ୍ରିକ ଖୁଂଟରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ଟା ବେଳେ ଖୁଂଟରେ ଲାଗି ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ଏହି ଘଟଣା ବେଳେ ନିକଟରେ ଅନେକ ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ଛିଡା ହୋଇଥିଲେ ମଧ୍ୟ ଉକ୍ତ ବାଳକକୁ ଇଲେକ୍ଟ୍ରିକ ଖୁଂଟରୁ ଛଡାଇବା ପାଇଁ ସତ୍‌ ସାହାସ କରିପାରି ନଥିଲେ । ତଥାପି କୋର୍ଟ ପରିସରରେ ଥିବା ବରିଷ୍ଠ ଆଇନଜୀବୀ ମୋହନଲାଲ ଶର୍ମା ଘଟଣାକୁ ସ୍ୱଚକ୍ଷୁରେ ଦେଖି ତତ୍‌କ୍ଷଣାତ ବିଦ୍ୟୁତ୍‌ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ । ବିଶେଷ ଅନୁସଂଧାନରୁ ଜଣାଯାଏ ଯେ, ବାଳକଟି ଦିବ୍ୟାଂଶୁ ହାତୀ (୧୦) । ଦୀର୍ଘ ୧୦ ବର୍ଷ ହେଲା ତାଙ୍କ ବାପା ଶିବ ହାତୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଛି । ବାପାଙ୍କ ମୃତ୍ୟୁ ପରେ ପରେ ତାଙ୍କ ମାଁ କେଉଁ ଆଡେ ଫେରାର ମାରିଛନ୍ତି । ବାପା ମାଆ ଛେଉଣ୍ଡ ଦିବ୍ୟାଂଶୁ ନିଜ ଅଜା ଆଈଙ୍କଠାରେ ଲାଲିତ ପାଳିତ ହେଉଛନ୍ତି । ଶୁକ୍ରବାର ଦିନ ସେ ବୁଲିବାକୁ ଯାଇଥିବା ବେଳେ ଇଲେକ୍ଟ୍ରିକ ଖୁଂଟ ନଂ. ଇଇଏସ୍‌ଏଲ ୧୪/୧୧୪ ଲୁହା ଖୁଂଟକୁ ଅଜାଣତରେ ଛୁଇଁ ଦେବା ମଧ୍ୟରେ ସେ ଲଟକି ପଡିଥିଲେ । ପରେ ନିଜେ ଚିକ୍ରାର କରି କିପରି ବିଦ୍ୟୁତ୍‌ ଖୁଂଟରୁ ଛଡାଇ ହୋଇଥିଲେ । ପୂର୍ବରୁ ଆଶ୍ରମପଡାର ପରମେଶ୍ୱର ପୁଂଜିଙ୍କ ଏକ ଛେଳି ବିଦ୍ୟୁତ୍‌ ଖୁଂଟ ସଂଷ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ବିଦ୍ୟୁତ୍‌ ବିଭାଗକୁ ଆଇନଜୀବୀ ଶର୍ମା ଖବର ଦେଲା ପରେ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଆସି ଖୁଂଟରେ ଥିବା ବିଦ୍ୟୁତ୍‌ ସରବରାହ ତାରକୁ ଯାଂଚ କରି ନୂତନ ଭାବେ ବିଦ୍ୟୁତ୍‌ ସଂଯୋଗ କରିଥିଲେ । ଏହି ଘଟଣା ଉପରେ ବାପା ମାଆ ଛେଉଣ୍ଡ ପିଲାଟି ଅଳ୍ପକେ ବର୍ତି ଯାଇଥିବାରୁ ରଖେ ହରି ତ ମାରେ କିଏ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.